ବଲାଙ୍ଗୀର: ବହୁଚର୍ଚ୍ଚିତ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣ ଘଟଣାରେ ସାମନାକୁ ଆସିଛି ନୂଆ ଟ୍ବିଷ୍ଟ। ଅପହରଣ ପଛର କାରଣ ‘ହନୁମାନ ପଇସା’ ବୋଲି ଜଣା ପଡିଛି। ରବିବାର ଦିନ ଉଭୟ ଅପହୃତ ବ୍ୟବସାୟୀ ଏବଂ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ଜେରା କରିବା ପରେ ପୋଲିସ ହାତରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।
ଅପହରଣ ଏକ ବଡ଼ ଧରଣର ଆର୍ଥିକ କାରବାର ତଥା ‘ହନୁମାନ ପଇସା’ ପାଇଁ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି। ଯାହା ଏହି ମାମଲାକୁ ଏକ ନୂଆ ମୋଡ଼ ଦେଇଛି।
ଗତ ଶୁକ୍ରବାର ବଲାଙ୍ଗିରରୁ ଅପହରଣର ଶିକାର ହୋଇଥିବା ନରେନ୍ଦ୍ର ସାହୁ ଓରଫ୍ ଗୁଣ୍ଡା ସାହୁଙ୍କୁ ପୋଲିସ ୨୪ ଘଣ୍ଟା ଭିତରେ ସୁରକ୍ଷିତ ଭାବେ ଭୁବନେଶ୍ୱରରୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଧରାପଡିବା ପରେ ଉଭୟଙ୍କ ବୟାନରେ ତାଳମେଳ ନ ରହିବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ଅଧିକ ଖୋଳତାଡ଼ କରିବା ପରେ ଜଣାପଡ଼ିଛି ଯେ, ଏହି ଅପହରଣ କୌଣସି ସାଧାରଣ ଘଟଣା ନୁହେଁ ବରଂ ଏହା ପଛରେ ପ୍ରାୟ ୨ କୋଟିରୁ ଅଧିକ ଟଙ୍କାର ଏକ ବିବାଦୀୟ କାରବାର ରହିଛି। ଗୋଟିଏ ପୁରାତନ ‘ହନୁମାନ କଏନ୍’ କିଣାବିକାକୁ କେନ୍ଦ୍ର କରି ଏହି ବିପୁଳ ପରିମାଣର ଟଙ୍କା ଦେଣନେଣ ହେବାର ଏକ ବଡ଼ ଡିଲ୍ ହୋଇଥିଲା। ମାତ୍ର କୌଣସି କାରଣରୁ ଏହି ଡିଲ୍ ଫେଲ୍ ମାରିବା କିମ୍ବା ଟଙ୍କା ନେଣଦେଣରେ ଆପୋଷ ବିବାଦ ଉପୁଜିବାରୁ ଶ୍ରୀ ସାହୁଙ୍କୁ ଅପହରଣ କରାଯାଇଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡିଛି ।
ଏବେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଏହି ଘଟଣାର ପ୍ରକୃତ ସତ୍ୟତା ଜାଣିବା ପାଇଁ ତଦନ୍ତକୁ ଜୋରଦାର କରିଛି। ପ୍ରକୃତରେ ଏହି ହନୁମାନ କଏନ୍ କାହା ପାଖରେ ଥିଲା ଏବଂ କିଏ ଏହାକୁ କିଣିବାକୁ ଚାହୁଁଥିଲା, ସେ ନେଇ ଅଭିଯୁକ୍ତମାନଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା ଜାରି ରହିଛି । ଖୁବ୍ଶୀଘ୍ର ଏହି ଅପହରଣ ମାମଲାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।