ଦେବଗଡ଼ : ବନ୍ୟା ପାଣି ସାଜିଲା ଦାଉ। ଲଗାଣ ବର୍ଷା ସହ ପୋଲ ଉପରେ ଆଣ୍ଠୁଏ ପାଣି ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଗାଡି ଭିତରେ ଶିଶୁପୁତ୍ରକୁ ଜନ୍ମ ଦେଲେ ପ୍ରସୂତି ମହିଳା ।
ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କାଳିଆପାଳ ଗ୍ରାମକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। କାଳିଆପାଳ ଗାଁ ନିକଟ ଟାଙ୍କୁଜୁରା ନାଳରେ ବନ୍ୟା ପାଣି ପ୍ରବାହିତ ହେବାରୁ ପୋଲ ଉପରେ ଆଜି ସକାଳୁ ଆଣ୍ଠୁଏ ପାଣି ଚାଲିଛି। ଏହି ସମୟରେ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଅଧାରେ ଅଟକି ଯାଇଥିଲା। ପରିବାର ଲୋକେ ମହିଳାଙ୍କୁ ବୋହି ନାଳ ଅତିକ୍ରମ କରାଇଥିଲେ। ଏଭଳି ସମସ୍ୟା ଯୋଗୁଁ ଗର୍ଭବତୀ ମହିଳା ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରି ନଥିଲେ। ମହିଳାଙ୍କୁ ଆମ୍ବୁଲାନ୍ସରେ ନିଆଯାଉଥିବା ବେଳେ ଆମ୍ବୁଲାନ୍ସ ଭିତରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ବାରକୋଟ ଡାକ୍ତରଖାନାରେ ପ୍ରସୂତୀ ମହିଳା ଓ ନବଜାତ ଶିଶୁର ଚିକିତ୍ସା ଜାରି ରହିଛି।
ବର୍ଷା ଦିନେ ଟାଙ୍କୁଜୁରା ନାଳରେ ବନ୍ୟା ପାଣି ଯୋଗୁଁ ଗୋପପୁର ଛକରୁ ବୁଢାବୁଇଁ ରାସ୍ତା ବିଚ୍ଛିନ୍ନ ହୋଇଛି । ବର୍ଷା ଦିନେ ଟାଙ୍କୁଜୁରା ନାଳରେ ବନ୍ୟା ପାଣି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଥିବାରୁ ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।