ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ୱାଧୀନତା ଦିବସରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’କୁ ଦିଆଯାଇଥିବା ଅପମାନର ଭିଡ଼ିଓ ବିରୋଧୀ ଦଳ, ବିଶେଷ କରି ସାଂସଦ ସୋନିଆ ଗାନ୍ଧୀଙ୍କ ଅସଲ ମୁଖାକୁ ପଦାରେ ପକାଇ ଦେଇଛି । ରାଷ୍ଟ୍ରୀୟ ଗାନକୁ ଅଧାରୁ ବନ୍ଦ କରିବାକୁ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେବା ଭଳି ପାପକୁ ଏ ଦେଶର ଜନତା କଦାପି କ୍ଷମା କରିବେ ନାହିଁ । ଆଜି ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋନିଆଙ୍କୁ ଟାର୍ଗେଟ୍ କରି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।
ଆଜି ରାଜସ୍ଥାନ ଚିତୋରଗଡ଼ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଚପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଶାହ ଯୋଗ ଦେଇଛନ୍ତି । ଶାହ ତାଙ୍କ ଅଭିଭାଷଣରେ କଂଗ୍ରେସକୁ ନିଶାଣ କରିଛନ୍ତି । ସ୍ୱାଧୀନତା ଦିବସରେ ରାଷ୍ଟ୍ରୀୟ ଗାନକୁ ଅଧାରୁ ବନ୍ଦ କରିବାକୁ ସୋନିଆ ଗାନ୍ଧୀ ଦେଇଥିବା ନିର୍ଦ୍ଦେଶ ପାଇଁ ଭୁଲ ମାଗିବା ଉଚିତ । ଶାହ କହିଛନ୍ତି ଯେ କଂଗ୍ରେସ ତାର ସମସ୍ତ ନିର୍ଲଜ୍ଜତା ଭୁଲି ଯାଇଛି । ଗତକାଲି କଂଗ୍ରେସ ଦଳ ମୁଖ୍ୟାଳୟରେ ବନ୍ଦେ ମାତରମ୍ ଗାନ କରାଯାଉଥିଲା । କିନ୍ତୁ ସୋନିଆ ଗାନ୍ଧୀ ଏହାକୁ ବନ୍ଦ କରିବାକୁ କହିଥିଲେ । ଦେଶ ସ୍ୱାଧୀନ ହେବାର ୮୦ ବର୍ଷ ପରେ ଯେତେବେଳେ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଅମର ମନ୍ତ୍ର ପୁଣି ଥରେ ସମ୍ମାନପ୍ରାପ୍ତ କରୁଥିଲା ତାହା ମଧ୍ୟ ସୋନିଆ ଜୀ ସହି ପାରିଲେ ନାହିଁ । ସୋନିଆଙ୍କ ଦ୍ୱାରା କରାଯାଇଥିବା ପାପକୁ ୧୪୦ କୋଟି ଜନତା କେବେ କ୍ଷମା କରିବେ ନାହିଁ । ବନ୍ଦେ ମାତରମକୁ କେବେ ଅଧୁରା ଛଡ଼ା ଯିବ ତାହା କେବେ କେହି ସ୍ୱପ୍ନରେ ଭାବି ନ ଥିବେ । କଂଗ୍ରେସ ନେତାଙ୍କୁ ଲଜ୍ଜା ଲାଗିବା ଉଚିତ । ଯଦି ଟିକେ ଲଜ୍ଜା ବଞ୍ଚିଥିବ ତାହା ହେଲେ ସୋନିଆ ଗାନ୍ଧୀ ସ୍ୱର୍ଗତ ବଙ୍କିମଚନ୍ଦ୍ର ଏବଂ ଦେଶର ଜନତାଙ୍କୁ ହାତ ଯୋଡ଼ି କ୍ଷମା ମାଗିବା ଉଚିତ ବୋଲି ଦାବି କରିଛନ୍ତି ଶାହ ।
ଉଲ୍ଲେଖ ଯୋଗ୍ୟ, ଗତକାଲି କଂଗ୍ରେସ ମୁଖ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବାବେଳେ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ରାଷ୍ଟ୍ରୀୟ ଗାନ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା । ଏହି ସମୟରେ କଂଗ୍ରେସ ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ । କେବଳ ସୋନିଆ ନୁହେଁ କେହି ମଧ୍ୟ ରାଷ୍ଟ୍ରୀୟ ଗାନକୁ ସମ୍ମାନ ଜଣାଇନଥିଲେ । ସୋନିଆ ଗୀତକୁ ବନ୍ଦ କରିବାକୁ ହାତ ହଲାଇ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଗୀତକୁ ବନ୍ଦ କରିବାକୁ ନିଜ ସ୍ଥାନରୁ ଏତେତେଣେ ଯାଉଥିଲେ । ରାହୁଲ ଗାନ୍ଧୀ ଗୀତ ମଝିରେ ଅନ୍ୟ ସହ କଥାବାର୍ତ୍ତା କରୁଥିବା ଦେଖାଯାଇଥିଲା । ଏକ ରାଷ୍ଟ୍ରୀୟ ଗୀତକୁ କଂଗ୍ରେସ ଦ୍ୱାରା ଏଭଳି ଅପମାନ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି କରିଛି ।
ନିକଟରେ କେନ୍ଦ୍ର ସରକାର ବନ୍ଦେ ମାତରମ୍ ପାଇଁ ଜାତୀୟ ସମ୍ମାନ (ସଂଶୋଧନ) ବିଲ୍ ଆଗତ କରିଥିଲେ । ଯାହା ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି । ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମକୁ ଅପମାନ କଲେ ତାହା ଏହା ଫୌଜଦାରୀ ଅପରାଧ ଭାବେ ବିବେଚନା କରାଯିବ ।