ନୂଆଦିଲ୍ଲୀ: ରାଜସ୍ଥାନ ରାଜଧାନୀ ଜୟପୁରରେ “ସ୍କୁଲ ଠିକ୍ କରୋ” ଅଭିଯାନ ଚଳାଇଥିବା କକ୍ରୋଚ ଜନତା ପାର୍ଟିକୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଶୁକ୍ରବାର ସିଜେପିର ସହ ସଂଯୋଜକ ଆଶୁତୋଷ ରାଙ୍କା ଏବଂ ତାଙ୍କ ଟିମ୍ ରାମପୁରା-କନୱାରପୁରା ଗ୍ରାମରେ ସରକାରୀ ବିଦ୍ୟାଳୟର ସ୍ଥିତି ପରଖିବାକୁ ଯାଇଥିବାବେଳେ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ।
ଆଜି ସକାଳୁ ସକାଳୁ ସିଜେପି ଟିମ୍ ରାମପୁରାରେ ବିଦ୍ୟାଳୟ ପରିଦର୍ଶନ କରିବାକୁ ଯାଇଥିଲା । ମାତ୍ର ଗ୍ରାମବାସୀ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ । ଏହା ପରେ ଆଶୁତୋଷ ରାଙ୍କା ନିଜେ ଗ୍ରାମରେ ପହଁଚିଥିଲେ । ଗ୍ରାମବାସୀ ତାଙ୍କୁ ମଧ୍ୟ ଦେଖି ନାରାବାଜି କରିଥିଲେ । ପରେ ପରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗାଁରୁ ତଡ଼ି ଦେଇଥିଲେ । ଏମିତିକି ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ ।
ବିଜେପି ଉପରେ ଅଭିଯୋଗ
ତେବେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ ସାମାଜିକ ଗଣମାଧ୍ୟମରେ ବିଜେପି ଉପରେ ଅଭିଯୋଗ ଆଣିଛନ୍ତି । ବିଜେପି କର୍ମକର୍ତ୍ତା ତାଙ୍କ ଟିମ୍ ସହିତ ଗୁଣ୍ଡାଗର୍ଦ୍ଦି କରିଥିଲେ । ଆଉ ରାଜସ୍ଥାନ ପୋଲିସ ତାଙ୍କୁ ସୁଯୋଗ ଦେଇଥିବା ଦିପକେ ଅଭିଯୋଗ କରିଛନ୍ତି ।
ରାଜନୈତିକ ରୁଟି ସେକୁଛି ସିଜେପି- ଗ୍ରାମବାସୀ
ସେପଟେ ଗ୍ରାମର ଜଣେ ବ୍ୟକ୍ତି ବିଷ୍ଣୁ କୁମାର କହିଛନ୍ତି ଯେ ବିଦ୍ୟାଳୟ ନିର୍ମାଣ ପାଇଁ ତାଙ୍କ ଜେଜେବାପା ଜମି ଦାନ କରିଥିଲେ । ବିଦ୍ୟାଳୟର କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ମାତ୍ର ସ୍ଥାନୀୟ ବିଧାୟକ ଡାକ୍ତର କୈଳାସ ବର୍ମା ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ୯ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଅନ୍ୟ ଜଣେ ବ୍ୟକ୍ତି ରାଜେଶ କୁମାର ଶର୍ମା କହିଛନ୍ତି ଯେ ବିରୋଧ କରିବା ଯୁକ୍ତିଯୁକ୍ତ ଅଟେ । ସିଜେପି ଏଥିରେ ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରୁଛି । କାରଣ ସରକାର ନୂତନ ଗୃହ ନିର୍ମାଣ ପାଇଁ ୧୨ ଲକ୍ଷ ଟଙ୍କାର ବଜେଟ୍ ପାସ୍ କରିଛନ୍ତି । ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇନାହିଁ । ସେ କହିଛନ୍ତି ଯେ ଯଦି ସରକାର ବିଦ୍ୟାଳୟ ତିଆରି ନ କରନ୍ତି ତେବେ ଆମେ ଗ୍ରାମବାସୀ ମିଳିମିଶି ଏହାକୁ କରିବାକୁ ଚେଷ୍ଟା କରିବୁ । କାରଣ ତାଙ୍କ ପୂର୍ବଜଙ୍କ ଉଦ୍ୟମରେ ବିଦ୍ୟାଳୟ ନିର୍ମାଣ ହୋଇଥିଲା । ତେଣୁ ଏଥିରେ ରାଜନୀତି ହେବା ଉଚିତ ନୁହେଁ ।