ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆସନ୍ତା ଦଶହରା ଛୁଟି ପରେ ମିଳିବ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ନୂଆ ପାଠ୍ୟପୁସ୍ତକ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ପକ୍ଷରୁ ବହି ସଂଶୋଧନ ଓ ନୂତନ ସଂସ୍କରଣ ପ୍ରସ୍ତୁତି ନେଇ ଆନୁଷ୍ଠାନିକ ଭାବେ ଟେଣ୍ଡର ଆହ୍ୱାନ କରାଯାଇଛି।
ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଗ୍ରହୀ ପ୍ରକାଶନ ଓ ମୁଦ୍ରଣ ସଂସ୍ଥାଗୁଡ଼ିକ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହାପରେ ଜୁଲାଇ ୨୭ ତାରିଖରେ ଅଂଶଗ୍ରହଣକାରୀ ସଂସ୍ଥାଗୁଡ଼ିକର ପ୍ରତିନିଧିଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲାଯିବ। ଚୟନ ହୋଇଥିବା ସଂସ୍ଥା ବିଶେଷଜ୍ଞଙ୍କ ଦ୍ୱାରା ସଂଶୋଧିତ ପାଣ୍ଡୁଲିପି ଆଧାରରେ ନୂଆ ବହି ଛାପିବେ ଏବଂ ଦଶହରା ଛୁଟି ଶେଷ ହେବା କ୍ଷଣି ପିଲାମାନଙ୍କୁ ବଣ୍ଟନ କରାଯିବ।
ଚଳିତ ଶିକ୍ଷାବର୍ଷରେ ଜାତୀୟ ଶିକ୍ଷା ନୀତି (NEP ୨୦୨୦) ଅନୁଯାୟୀ ପ୍ରକାଶିତ ନୂଆ ବହିଗୁଡ଼ିକରେ ବ୍ୟାପକ ଭୁଲ୍ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବହିଗୁଡ଼ିକରେ ପ୍ରାୟ ୧,୬୭୮ଟି ତଥ୍ୟଗତ, ବ୍ୟାକରଣଗତ ଏବଂ ମୁଦ୍ରଣଜନିତ ତ୍ରୁଟି ଚିହ୍ନଟ ହୋଇଥିଲା। ଅଭିଭାବକ, ଶିକ୍ଷାବିତ୍ ଓ ବିରୋଧୀ ଦଳଙ୍କ କଡ଼ା ସମାଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଆଧାରରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ପରବର୍ତ୍ତୀ ସମୟରେ କ୍ରାଇମ୍ବ୍ରାଞ୍ଚ ଏହି ଘଟଣାର ତଦନ୍ତ ଭାର ହାତକୁ ନେଇ ପୂର୍ବତନ ନିର୍ଦ୍ଦେଶକଙ୍କୁ ଗିରଫ ମଧ୍ୟ କରିସାରିଛି।