ଏଜବାଷ୍ଟନ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଦମଦାର ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଭାରତ ନିଜର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬୪ ରନ୍ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି । ଟି-୨୦ ବିଶ୍ୱକପ୍ ଇତିହାସରେ ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା ଦଳର ଏହା ହେଉଛି ସପ୍ତମ ବିଜୟ । ଅଧିନାୟିକା ହରମନପ୍ରୀତ କୌରଙ୍କ ରଣନୀତି ଏବଂ ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂ ଆଗରେ ଆତ୍ମ ସମର୍ପଣ କରିଛି ପାକିସ୍ତାନ ଦଳ ।
ଭାରତ ପକ୍ଷରୁ ମିଳିଥିବା ୧୭୧ ରନର ବଡ଼ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ପ୍ରାରମ୍ଭିକ ଓଭରଗୁଡ଼ିକରେ ବେଶ୍ ଭଲ ସ୍ଥିତିରେ ଥିଲା । ପ୍ରଥମ ୬ ଓଭର ସୁଦ୍ଧା ଦଳ ବିନା କୌଣସି ୱିକେଟ୍ ହରାଇ ୫୨ ରନ୍ ସଂଗ୍ରହ କରିନେଇଥିଲା । ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ରେ ଭାରତ ବିପକ୍ଷରେ ପାୱାରପ୍ଲେ ମଧ୍ୟରେ ପାକିସ୍ତାନର ଏହା ସର୍ବଶ୍ରେଷ୍ଠ ସ୍କୋର ଥିଲା । କିନ୍ତୁ ୭ମ ଓଭରରୁ ଭାରତୀୟ ବୋଲରମାନେ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ । ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ପାକିସ୍ତାନୀ ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । ଶେଷରେ ପାକିସ୍ତାନ ଦଳ ପୂରା ୨୦ ଓଭର ମଧ୍ୟ ଖେଳିପାରିନଥିଲା ଏବଂ ୧୭ ଓଭରରେ ମାତ୍ର ୧୦ ରନ କରି ଅଲଆଉଟ୍ ହୋଇଯାଇଥିଲା ।
ଇତିହାସ ରଚିଲେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଦୀପ୍ତି ଶର୍ମା
ଭାରତୀୟ ସ୍ପିନର ଦୀପ୍ତି ଶର୍ମା ଏହି ମ୍ୟାଚରେ ଘାତକ ବୋଲିଂ କରି ପାକିସ୍ତାନ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି । ସେ ନିଜର ୪ ଓଭର ସ୍ପେଲରେ ମାତ୍ର ୧୦ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଏହି ସଫଳତା ସହ ଦୀପ୍ତି ଆନ୍ତର୍ଜାତୀୟ କ୍ରିକେଟ୍ରେ ନିଜର ୩୫୦ ୱିକେଟ୍ ପୂରଣ କରିଛନ୍ତି । ମହିଳା କ୍ରିକେଟ୍ ଇତିହାସରେ ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ବିଶ୍ୱର ଦ୍ୱିତୀୟ ବୋଲର। ଦୀପ୍ତିଙ୍କ ବ୍ୟତୀତ ଶ୍ରୀଚରଣୀ ୪ ଓଭରରେ ୨୧ ରନ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଶେଫାଳି ବର୍ମା ଗୋଟିଏ ୱିକେଟ୍ ହାସଲ କରିଛନ୍ତି ।
ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଇନିଂସ
ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୦ ରନ୍ର ସମ୍ମାନଜନକ ସ୍କୋର ଛିଡ଼ା କରିଥିଲା । ଦଳ ପକ୍ଷରୁ ଷ୍ଟାର ଓପନର୍ ସ୍ମୃତି ମନ୍ଧାନା ୪୪ ବଲରୁ ୬୮ ରନର ଏକ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ହରମନପ୍ରୀତ କୌର ୩୬ ରନ୍ ଏବଂ ଋଚା ଘୋଷ ୧୭ ବଲରୁ ବିସ୍ଫୋରକ ୩୪ ରନର ଅବଦାନ ଦେଇଥିଲେ ।
ପାକିସ୍ତାନ ପକ୍ଷରୁ ଓପନର ମୁନିବା ଅଲୀ ସର୍ବାଧିକ ୪୧ ରନ୍ କରିଥିବା ବେଳେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ । ଅଧିନାୟିକା ଫାତିମା ସନା ଶୂନ୍ୟ ରନ୍ରେ ଆଉଟ୍ ହୋଇଥିବା ବେଳେ ଆଲିଆ ରିଆଜ୍ ୧୮ ଏବଂ ଗୁଲ୍ ଫିରୋଜା ୧୨ ରନ୍ କରିବାକୁ ସକ୍ଷମ ହୋଇଥିଲେ । ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ମହିଳା ଦଳ ବିଶ୍ୱକପ୍ରେ ଏକ ସୁନ୍ଦର ଆରମ୍ଭ କରିଛି ।