ନୂଆଦିଲ୍ଲୀ: କ୍ରିକେଟ ପଡ଼ିଆରେ ପୁଣି ଥରେ ଦେଖିବାକୁ ମିଳିଛି ଖେଳାଳିଙ୍କ ଉଗ୍ର ରୂପ। ସାଧାରଣତଃ ବିସ୍ଫୋରକ ବ୍ୟାଟିଂ ପାଇଁ କ୍ରିକେଟ୍ ଜଗତରେ ଚର୍ଚ୍ଚାରେ ରହିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ। ଶ୍ରୀଲଙ୍କାର ଦାମ୍ବୁଲାଠାରେ ଖେଳାଯାଉଥିବା ତ୍ରିରାଷ୍ଟ୍ରୀୟ ସିରିଜ୍ର ଏକ ମ୍ୟାଚ୍ରେ ଭାରତ-ଏ ର ଯୁବ ଓପନର ବୈଭବବିରୋଧୀ ଦଳର ଖେଳାଳିଙ୍କ ସହ ପାଟିତୁଣ୍ଡ କରିବା ସହ ଧକ୍କା ମାରୁଥିବାର ସାଂଘାତିକ ଦୃଶ୍ୟ ସାମ୍ନାକୁ ଆସିଛି। ସୁପର ଓଭରରେ ଭାରତର ପରାଜୟ ପରେ ଏହି ହଙ୍ଗାମା ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଶାନ୍ତ ସ୍ଵଭାବର ବୈଭବ ହଠାତ୍ କାହିଁକି ଏଭଳି ଉଗ୍ର ହୋଇପଡ଼ିଲେ, ଆସନ୍ତୁ ଜାଣିବା ଘଟଣା ବିଷୟରେ।
ଶ୍ରୀଲଙ୍କା ଖେଳାଳିଙ୍କ ସ୍ଲେଜିଂ ସୀମା ପାର୍ କଲା କି?
ମ୍ୟାଚ୍ରେ ଭାରତକୁ ଜିତିବା ପାଇଁ ସୁପର ଓଭରରେ ୧୭ ରନ୍ର ଆବଶ୍ୟକତା ଥିଲା। କିନ୍ତୁ ଭାରତ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ଏବଂ ସୂର୍ଯ୍ୟାଂଶ ସେଡଗେ ମିଶି ମାତ୍ର ୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଭାରତ ମ୍ୟାଚ୍ ହାରିବା କ୍ଷଣି ଶ୍ରୀଲଙ୍କା-ଏ ଦଳର ଖେଳାଳିମାନେ ଅତ୍ୟନ୍ତ ଆକ୍ରମଣାତ୍ମକ ଢଙ୍ଗରେ ବିଜୟ ଉତ୍ସବ ମନାଇବା ଆରମ୍ଭ କରିଦେଇଥିଲେ।
ସୂଚନା ଅନୁଯାୟୀ, ଶ୍ରୀଲଙ୍କାର କିଛି ଖେଳାଳି ବୈଭବଙ୍କ ସାମ୍ନାକୁ ଆସି ଚିତ୍କାର କରିବା ସହ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ବିରୋଧୀ ଦଳର ଏଭଳି ଅଶୋଭନୀୟ ଆଚରଣକୁ ସହ୍ୟ କରିପାରିନଥିଲେ ବୈଭବ। ସେ ରାଗିଯାଇ ସେଠାରେ ଛିଡ଼ା ହୋଇଥିବା ଶ୍ରୀଲଙ୍କାର ଜଣେ ଖେଳାଳିଙ୍କୁ ସିଧାସଳଖ ଧକ୍କା ମାରିଥିଲେ। ପରିସ୍ଥିତି ଆହୁରି ଖରାପ ଆଡ଼କୁ ଯାଉଥିବା ବେଳେ ଅନ୍ୟତମ ବ୍ୟାଟର ସୂର୍ଯ୍ୟାଂଶ ସେଡଗେ ମଝିରେ ପଶି ବୈଭବଙ୍କୁ ଅଟକାଇଥିଲେ ଏବଂ ସେଠାରୁ ଦୂରକୁ ନେଇଯାଇଥିଲେ।
ବ୍ୟାଟିଂରେ ଫ୍ଲପ୍ ବୈଭବ
ମୈଦାନରେ ଆକ୍ରମଣାତ୍ମକ ଆଚରଣ ଦେଖାଇଥିବା ବୈଭବ ମ୍ୟାଚରେ କିନ୍ତୁ ବ୍ୟାଟିଂରେ ବିଶେଷ କିଛି କମାଲ କରିପାରିନଥିଲେ। ସେ ୧୪ଟି ବଲ୍ ସାମ୍ନା କରି ମାତ୍ର ୨୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ଭାରତ-ଏ ଦଳ ପକ୍ଷରୁ ସୂର୍ଯ୍ୟାଂଶ ସେଡଗେଙ୍କ ୭୨ ରନ୍ ଏବଂ ବିପ୍ରଜ ନିଗମଙ୍କ ୫୧ ରନ୍ ବଳରେ ଦଳ ୨୬୫ ରନ୍ ସଂଗ୍ରହ କରିଥିଲା।
ଜବାବରେ ଶ୍ରୀଲଙ୍କା ଦଳ ମଧ୍ୟ ୫୦ ଓଭରରେ ୨୬୫ ରନ୍ କରିବାରୁ ମ୍ୟାଚ୍ଟି 'ଟାଇ' ହୋଇଥିଲା। ଶେଷରେ ସୁପର ଓଭରରେ ଶ୍ରୀଲଙ୍କା ୧୬ ରନ୍ କରିଥିବା ବେଳେ ଟିମ୍ ଇଣ୍ଡିଆ ମାତ୍ର ୯ ରନ୍ କରି ମ୍ୟାଚ୍ ହରାଇଥିଲା।