ୱାଶିଂଟନ: ବିଶ୍ଵ ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ସଫଳତା ମିଳିଛି। ଦୀର୍ଘ ଦିନର ତିକ୍ତତା ଓ ଉତ୍ତେଜନା ପରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି। ଇରାନ ଏବେ ଆଉ କୌଣସି ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ବୋଲି ଏହି ଚୁକ୍ତିରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରିଛି। ଆମେରିକାର ବରିଷ୍ଠ ଅଧିକାରୀମାନେ ଗଣମାଧ୍ୟମକୁ ଏହି ସୂଚନା ଦେବା ପରେ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଐତିହାସିକ ଚୁକ୍ତିନାମା ଉପରେ ମୋହର ମାରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ଏହି ଚୁକ୍ତିର ସମସ୍ତ ସରକାରୀ ଦସ୍ତାବିଜ୍ ସାର୍ବଜନୀନ କରାଯିବ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆମେରିକା ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭେନ୍ସ ଏହି ଚୁକ୍ତିନାମାରେ ସ୍ଵାକ୍ଷର କରିଥିବା ବେଳେ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର କଲିବାଫ୍ ମଧ୍ୟ ଏଥିରେ ସ୍ଵାକ୍ଷର କରିଛନ୍ତି।
ହର୍ମୁଜ ପ୍ରଣାଳୀ ଖୋଲିଲା, କମିବ ତେଲ ଦର
ଏହି ସଫଳତା ପରେ ଏକ ବିବୃତ୍ତି ଜାରି କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା-ଇରାନ ଚୁକ୍ତି ସ୍ଵାକ୍ଷରିତ ହୋଇସାରିଛି। ବିବାଦୀୟ 'ହର୍ମୁଜ ପ୍ରଣାଳୀ' ଆଂଶିକ ଭାବେ ଖୋଲିଯାଇଛି ଏବଂ ଜଳଜାହାଜଗୁଡ଼ିକର ଯାତାୟାତ ଆରମ୍ଭ ହୋଇଗଲାଣି। ଆସନ୍ତା ଶୁକ୍ରବାର ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ଖୋଲିଯିବ। ଇରାନ ସହିତ ବର୍ତ୍ତମାନ ଆମର ସମ୍ପର୍କ ବହୁତ ଭଲ ରହିଛି।
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ଇରାନର ବର୍ତ୍ତମାନର ନେତୃତ୍ଵ ବହୁତ ବୁଦ୍ଧିମାନ ଏବଂ ଶକ୍ତିଶାଳୀ। ମତଭେଦ ଯୋଗୁଁ ଆମକୁ ଦୁଇ ରାତି ଆକ୍ରମଣ କରିବାକୁ ପଡ଼ିଥିଲା ଏବଂ ଆମେ ତୃତୀୟ ଆକ୍ରମଣ ପାଇଁ ମଧ୍ୟ ପ୍ରସ୍ତୁତ ଥିଲୁ, କିନ୍ତୁ ସେହି ସମୟ ମଧ୍ୟରେ ଏହି ଚୁକ୍ତି ହୋଇଗଲା। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ବହୁତ ଭଲ ସମୟ ଆସିବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଉଛି ବିଶ୍ଵ ବଜାରରେ ଅଶୋଧିତ ତେଲ ଦର ଶୀଘ୍ର ହ୍ରାସ ପାଉଛି ଏବଂ ଶେୟାର ବଜାର ରକେଟ୍ ଭଳି ଉପରକୁ ଗତି କରୁଛି।
ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ ଇରାନ ପାଖରେ କଦାପି ପରମାଣୁ ଅସ୍ତ୍ର ରହିବ ନାହିଁ, ସେମାନେ ଏଥିରେ ସମ୍ମତ ହୋଇଛନ୍ତି। ଯଦି ଆଗକୁ ସେମାନେ ନିୟମ ଭାଙ୍ଗନ୍ତି, ତେବେ ଆମେ ପୁଣି ପୁରୁଣା ସ୍ଥିତିକୁ ଫେରିଯିବୁ, କିନ୍ତୁ ବୋଧହୁଏ ତାହାର ଆବଶ୍ୟକତା ପଡ଼ିବ ନାହିଁ।
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ
ଏହି ଚୁକ୍ତିନାମାରେ ମଧ୍ୟସ୍ଥତା ଏବଂ ସହାୟତା ପାଇଁ ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନରୁ ବିଶ୍ଵକୁ ତେଲ ଯୋଗାଣ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ଏହି ଡିଲ୍ ସାରା ବିଶ୍ଵ ପାଇଁ ଏକ ବଡ଼ ସଫଳତା ଆଣିଦେବ। ଏଥିପାଇଁ ରାଷ୍ଟ୍ରପତି ମାକ୍ରୋନଙ୍କ ସହଯୋଗ ଅତୁଳନୀୟ।