ୱାଶିଂଟନ: ବିଶ୍ୱ ରାଜନୀତି ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ମହାଯୁଦ୍ଧକୁ ନେଇ ଏକ ବଡ଼ ଖବର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ରବିବାର ଏକ ଐତିହାସିକ ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାକୁ ଯାଉଛି। କିନ୍ତୁ ଅନ୍ୟପଟେ ଇରାନ ଏହି ଚୁକ୍ତିର ସମୟକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ଟ୍ରମ୍ପଙ୍କ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ସ୍ୱୀକାର କରିନାହିଁ।
ଟ୍ରମ୍ପ କହିଲେ- ରବିବାର ଖୋଲିବ ‘ହରମୁଜ ପ୍ରଣାଳୀ’
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଇରାନ ସହ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ରବିବାର ସ୍ଵାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ଚୁକ୍ତି ସ୍ଵାକ୍ଷର ହେବା ମାତ୍ରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ ‘ଷ୍ଟ୍ରେଟ୍ ଅଫ୍ ହରମୁଜ’ ସମସ୍ତଙ୍କ ପାଇଁ ତୁରନ୍ତ ଖୋଲି ଦିଆଯିବ। ଏହାସହ ଇରାନ ଆଉ କେବେ ମଧ୍ୟ ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଏହି ମଧ୍ୟସ୍ଥତାକୁ ନେଇ ସକରାତ୍ମକ ସଙ୍କେତ ଦେଇଛନ୍ତି ଏବଂ ରବିବାର ଏକ ଇଲେକ୍ଟ୍ରୋନିକ ସ୍ଵାକ୍ଷର ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଚାଲିଥିବା ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ଏହି ବଡ଼ ଦାବି ପରେ ଇରାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସତର୍କତାମୂଳକ ବୟାନ ଜାରି କରାଯାଇଛି। ଇରାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଇସମାଇଲ ବାଘେଇ କହିଛନ୍ତି ଯେ, ଆଗାମୀ ଦିନରେ ଚୁକ୍ତି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ, କିନ୍ତୁ ଏହା ରବିବାର ହେବା ସମ୍ଭବ ନୁହେଁ। ଆମେରିକାର ଅସ୍ଥିର ଆଭିମୁଖ୍ୟ ଯୋଗୁଁ ଆମକୁ ଏହି ପ୍ରକ୍ରିୟାରେ ସତର୍କ ରହିବାକୁ ପଡ଼ିବ। ଏହା ଏକ ଚୂଡ଼ାନ୍ତ ଚୁକ୍ତି ନୁହେଁ, ବରଂ ଏକ ବୁଝାମଣା ପତ୍ର (MoU) ଯାହା ମାଧ୍ୟମରେ ଯୁଦ୍ଧର ଅନ୍ତ ଘଟିବ।
ଆମେରିକା ସୂତ୍ର ଅନୁସାରେ, ଏହି ଚୁକ୍ତିନାମାରେ ୫ଟି ମୁଖ୍ୟ ସର୍ତ୍ତ ରହିଛି। ଏହା ଅଧୀନରେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ, ହରମୁଜ ପ୍ରଣାଳୀକୁ ମୁକ୍ତ କରାଯିବ ଏବଂ ଇରାନର ଜବତ ହୋଇଥିବା ଅର୍ଥ ତୁରନ୍ତ ମିଳିବ ନାହିଁ। ଏହି ମହାଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ଆକାଶଛୁଆଁ ହୋଇଥିବା ବେଳେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି।
Also Read: ଫ୍ରାନ୍ସରେ ହେବ ମୋଦୀ-ଟ୍ରମ୍ପ ମହାମିଳନ: ୧୬ ମାସ ପରେ ଦୁଇ ପ୍ରତିଷ୍ଠିତ ନେତାଙ୍କ ମଧ୍ୟରେ ବସିବ ଉଚ୍ଚସ୍ତରୀୟ ବୈଠକ