ବଲାଙ୍ଗିର: ସରୁନି ଦାଦନ ଦୁଃଖ । ବାଲାଙ୍ଗିର ଜିଲ୍ଲା ଦାଦନ ଶ୍ରମିକଙ୍କ ନିର୍ଯାତନାର କାହାଣୀ କମିବାର ନାଁ ଧରୁନାହିଁ । ପେଟ ପାଇଁ ଘର ପରିବାର ଛାଡ଼ି ରାଜ୍ୟ ବାହାରେ ଦାଦନ ଖଟୁଥିବା ଓଡ଼ିଆଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯ୍ୟାତନା । ଯାହା ଦ୍ୱାରା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତାମିଲନାଡ଼ୁରେ ଜଣେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ମୃତକ ହେଲେ ପୁଇଁନ୍ତଲା ଥାନା ଆଟଗାଁ ପଞ୍ଚାୟତ ସିଲେଟପଡ଼ା ଗାଁର ଭାଗବତ ରଣା । ନ୍ୟାୟ ଦାବିରେ ପରିବାର ଲୋକେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଆଟଗାଁ ପଞ୍ଚାୟତ ସିଲେଟପଡ଼ା ଗାଁର ଭାଗବତ ରଣା ବାପା ଡମ୍ବରୁଙ୍କ ମୃତ୍ୟୁପରେ ପୈତୃକ ଜମିରୁ ୧ ଏକର ଭାଗ ପାଇଥିଲେ । ପତ୍ନୀ ଜ୍ୟୋତ୍ସ୍ନା ଓ ୩ ପୁଅ-ଝିଅଙ୍କ ସହ ଗାଁରେ କରୁଥିଲେ । ଅଧିକ ରୋଜଗାର ଆଶାରେ ତାମିଲନାଡ଼ୁ ଚାଲି ଯାଇଥିଲେ । ସେ ସୁବର୍ଣ୍ଣପୁର ଜିଲ୍ଲା ତରଭା କୁମ୍ଭାରପଡ଼ାର ପିଉସୀ ପୁଅ ଭାଇ ମିଟୁ ରଣାଙ୍କ ସହ ଗତ ଜୁନ ୪ ତାରିଖରେ ତାମିଲନାଡୁ ଯାଇଥିଲେ । ଜୁଲାପେଟ କ୍ରିଷ୍ଣାଗିରି ଜିଲ୍ଲା ମୋତିଗିରି ଥାନା ଅସୁର ଗ୍ରାମରେଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରିବାକୁ ଘରୁ ବାହାରିଥିଲେ । ୨ ଦିନ ପରେ ତାମିଲନାଡୁରେ ପହଞ୍ଚିଥିଲେ । ଏହାର ଦିନକ ପରେ ଜ୍ୟୋତ୍ସ୍ନାଙ୍କ ମୋବାଇଲ୍କୁ ଏକ ଫୋନ୍ ଆସିଥିଲା । ଭାଗବତ ଗଛରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ନେଇ ଜ୍ୟୋତ୍ସ୍ନାଙ୍କୁ ସୂଚନା ଦିଆଯାଇଥିଲା ।
ଭାଗବତଙ୍କ ବଡ଼ଭାଇ ଭଗତ ରଣା ଓ ଦୁଇଜଣ ସମ୍ପର୍କୀୟ ତାମିଲନାଡୁ ପହଞ୍ଚି ମୃତ ଭାଗବତଙ୍କ ମୃତଦେହ ଦେଖିଥିଲେ । ଭାଗବତ ଆତ୍ମହତ୍ୟା କରିଥିବା ନେଇ ପୋଲିସ ମାମଲା ରୁଜୁ ସହ ବ୍ୟବଚ୍ଛେଦ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲା । ଘରକୁ ମୃତଦେହ ଆଣିବାରେ ଅକ୍ଷମତା ପ୍ରକାଶ କରି ପରିବାର ଲୋକେ ସେଠାରେ ମୃତଦେହ ସତ୍କାର କରି ଘରକୁ ଫେରିଥିଲେ ।
ଅନ୍ୟପଟେ, ଭାଗବତ ତାମିଲନାଡ଼ୁରେ ପହଞ୍ଚିବା ପରେ ମିଟୁ ଓ ଅନ୍ୟମାନେ ମିଶି ମୋତେ ମାରିଦେବାକୁ ଯୋଜନା କରୁଥିବା ନେଇ କୁଆଡ଼େ ପତ୍ନୀ ଓ ବଡ଼ଭାଇଙ୍କୁ ଫୋନ୍ କରି ଜଣାଇଥିଲେ । ଏହା ସହ ଗତ କିଛି ବର୍ଷ ତଳେ ଭାଗବତ ଓ ମିଟୁଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଗୁଣ୍ଡା ଲଗାଇ ଭାଗବତଙ୍କୁ ହତ୍ୟା କରିବାକୁ କୁଆଡ଼େ ସେତେବେଳେ ମିଟୁ ଧମକ ମଧ୍ୟ ଦେଇଥିଲେ ବୋଲି ତାଙ୍କ ବଡ଼ଭାଇ ଭଗତ ରଣା ପ୍ରକାଶ କରିଛନ୍ତି । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମିଳାମିଶା ହୋଇଥିବା ବେଳେ ଗତ ୪ତାରିଖ ରେ ସେ ରୋଜଗାର ଆଶାରେ ମିଟୁଙ୍କ ସହ ତାମିଲନାଡୁ ଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।
ଭାଗବତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ମିଟୁ ଧରାଛୁଆଁ ଦେଉ ନ ଥିବା କି ପରିବାର ସହ ଯୋଗାଯୋଗ କରୁ ନ ଥିବାରୁ ସନ୍ଦେହ ଅଧିକ ଘନୀଭୁତ ହୋଇଛି । ଭାଗବତଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ପରିବାର ଲୋକେ ମୃତଦେହ ଦେଖୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ଭାଷାଗତ ସମସ୍ୟା ଯୋଗୁଁ ତାମିଲନାଡୁ ପୁଲିସ ନିକଟରେ ନିଜ ଦାବି ଉପସ୍ଥାପିତ କରି ନ ପାରି ଗାଁକୁ ଫେରି ଆସିଥିଲେ । ଏହି ଘଟଣାର ତଦନ୍ତ ସହ ହତ୍ୟାକାରୀଙ୍କୁ ଗିରଫ ଦାବିରେ ପୀଡ଼ିତ ପରିବାର ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରସ୍ଥ ହୋଇଥିଲେ । ଭାଗବତ ମୃତ୍ୟୁ ରହସ୍ୟ ଉନ୍ମୋଚନ ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ପୀଡ଼ିତ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ ।