ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦାନ ଗ୍ରହଣରେ ବ୍ୟାପକ ଅନିୟମିତତା ଓ ଚୋରି ଅଭିଯୋଗକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହି ସମ୍ବେଦନଶୀଳ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ନିରପେକ୍ଷ ତଦନ୍ତ ପାଇଁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନିକଟରେ ଆବେଦନ କରାଯାଇଛି।
ଆଇନଜୀବୀ ଅନୂପ ଅବସ୍ଥୀ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗ ଉଠାଇ କୋର୍ଟଙ୍କୁ ସ୍ୱତଃ ପ୍ରବୃତ୍ତ ମାମଲା ବୁଝିବାକୁ ଅନୁରୋଧ କରିଛନ୍ତି। କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଜଡ଼ିତ ଥିବାରୁ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ଏଫ୍ଆଇଆର୍ ରୁଜୁ କରି କୋର୍ଟଙ୍କ ତତ୍ତ୍ୱାବଧାନରେ ନିରପେକ୍ଷ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।
ସିଜେଆଇ ସୂର୍ଯ୍ୟ କାନ୍ତ କହିଛନ୍ତି ଯେ, କୋର୍ଟରେ ବର୍ତ୍ତମାନ କୌଣସି ମାମଲାର ମୌଖିକ ଉପସ୍ଥାପନା ନକରି ଲିଖିତ ନୋଟ୍ ଦିଆଯାଉ। ସେହି ନୋଟ୍କୁ ଅନୁଧ୍ୟାନ କରିବା ପରେ ମାମଲାର ଜରୁରୀକାଳୀନ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଜାମିନ ଆବେଦନ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା SIT ଗଠନ
ଅନ୍ୟପଟେ, ଏହି ବିବାଦ ବଢ଼ିବା ପରେ ଉତ୍ତରପ୍ରଦେଶ ସରକାର ତତ୍କାଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ୩ ଜଣିଆ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ଦାନପାତ୍ର ଏବଂ ଆର୍ଥିକ ପରିଚାଳନାରେ ହୋଇଥିବା ସମସ୍ତ ଅଭିଯୋଗର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।
ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ସୋସିଆଲ ମିଡିଆରେ ଦାନରାଶି ହେରଫେରକୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି। ଏହାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ଏବଂ ମନ୍ଦିରର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସେମାନେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଏକ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ମୋର ଦାୟିତ୍ୱ କେବଳ ମନ୍ଦିରର ନିର୍ମାଣ କାର୍ଯ୍ୟର ତଦାରଖ କରିବା ମଧ୍ୟରେ ସୀମିତ। ମନ୍ଦିରକୁ ମିଳୁଥିବା ଦାନ କିମ୍ବା ଆର୍ଥିକ କାରବାର ସହ ମୋର କୌଣସି ସମ୍ପର୍କ ନାହିଁ।