ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଅତି ଅନୁକୂଳ ଓ ଶୃଙ୍ଖଳିତ ଭାବେ ଆଗେଇ ଚାଲିଛି। ଆଜି ରଥନିର୍ମାଣର ୫୫ତମ ଦିବସରେ ଶ୍ରୀମନ୍ଦିର ରଥଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ସେବା ସମ୍ପନ୍ନ ହୋଇଛି। ମୁଖ୍ୟ ମହାରଣାମାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ନିର୍ମାଣକାରୀ ସେବକମାନେ ଆଜି ତିନି ରଥରେ ‘ବଡ଼ଧରା ପୋଟଳ’ ସଂଯୋଗ କରିଛନ୍ତି। ଏହି କାର୍ଯ୍ୟ ଶେଷ ହେବା ପରେ ଏବେ ଏହା ଉପରେ ଆଉ ୧୩ ପରସ୍ତ ପୋଟଳ ଲଗାଯିବ, ଯେଉଁଥିପାଇଁ ରଥଖଳାରେ ପୋଟଳ ପ୍ରସ୍ତୁତି କାମ ଜୋରସୋରରେ ଚାଲିଛି।
ରଥ ଅବୟବ ନିର୍ମାଣ ଓ ସଂଯୋଗ: ବର୍ତ୍ତମାନ ତିନି ରଥର ଉପରିଭାଗ ବେଦି ସମ୍ମୁଖ ଅଂଶକୁ ଛାଡ଼ି ଆଗ ଓ ପଛ ପାର୍ଶ୍ୱରେ ତାଗ ବାଡ଼ିଆ କାମ ଚାଲିଥିବା ବେଳେ ବେଦି ଚାରିପାଖରେ ପଟା ବାଡ଼ିଆ କାର୍ଯ୍ୟ ଜାରି ରହିଛି। ଏଥିସହ ରଥ ଚାଳିରେ କଇଁଚି ହଣା ଏବଂ ପାରାଭାଡ଼ି ନିର୍ମାଣ କାର୍ଯ୍ୟ ସଫଳତାର ସହ ଆଗକୁ ବଢ଼ୁଛି। ଅନ୍ୟପଟେ, ନନ୍ଦିଘୋଷ ରଥର ମହାରଣା ଓ ଭୋଇ ସେବକମାନେ ମିଶି ରଥର ପଛ ଆଣି କତରା ଦୁଇ ପାର୍ଶ୍ୱରେ ସଂଯୋଗ କାର୍ଯ୍ୟ ଶେଷ କରିଛନ୍ତି।
ରୂପକାର, ଓଝା ଏବଂ ଚିତ୍ରକାର ସେବକଙ୍କ ନିଷ୍ଠା: ରଥଖଳାରେ ବିଭିନ୍ନ ନିଯୋଗର ସେବକମାନେ ନିଜ ନିଜ ସେବାରେ ଦିନରାତି ଏକ କରିଛନ୍ତି। ରୂପକାର ସେବକମାନେ ମୁଖ୍ୟ ରୂପ ଖୋଦେଇ କାମ ଶେଷ କରିବା ପରେ ଏବେ ନାଟ ଗୋଡ଼ ରୂପର ପଲିସ୍ କାର୍ଯ୍ୟ ସହ ବାକି ଥିବା ନାଟ ଗୋଡ଼ଗୁଡ଼ିକରେ ‘କନ୍ଦର୍ପ ରୂପ’ ଖୋଦେଇ କରୁଛନ୍ତି। ଦୋଳବେଦି ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ରଥ ପାଇଁ ଆବଶ୍ୟକୀୟ କଇଁଚି କଣ୍ଟା, ଗୋଡ଼ି ଛାଲ ଓ ବାଗିଆ କଣ୍ଟା ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।
ସେହିପରି ଦୋଳବେଦିଠାରେ ପାହି ମହାରଣାମାନେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବା ପୂଜା ନିମନ୍ତେ ବ୍ୟବହୃତ ହେବାକୁ ଥିବା କାଠ ନିର୍ମିତ ବିଭିନ୍ନ ସରଞ୍ଜାମ ପ୍ରସ୍ତୁତ କରୁଛନ୍ତି। ରଥକୁ ସୁଦୃଶ୍ୟ କରିବା ପାଇଁ ଚିତ୍ରକାର ସେବକମାନେ ପାର୍ଶ୍ୱ ଦେବାଦେବୀ ମୂର୍ତ୍ତି, ସଖୀ, ଓଲଟ ଶୁଆ ଏବଂ ଦେବାଦେବୀଙ୍କ ଆସ୍ଥାନ ଫ୍ରେମ୍ ଇତ୍ୟାଦିରେ ପାରମ୍ପରିକ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ପାଇଁ ରଥଖଳାରେ ସେବା ଓ ଭକ୍ତିର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଛି।