ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଜୁଲାଇ ୧ ତାରିଖରୁ ବଡ଼ ବ୍ୟବସାୟିକ ଗ୍ରାହକ ବା କମର୍ସିଆଲ୍ ବାୟର୍ସଙ୍କ ପାଇଁ ପେଟ୍ରୋଲ ପମ୍ପରୁ ଇନ୍ଧନ କିଣିବା ଉପରେ ଲାଗିଥିବା ସମସ୍ତ ଅସ୍ଥାୟୀ କଟକଣାକୁ ସରକାର ହଟାଇ ଦେଇଛନ୍ତି। ମଧ୍ୟପ୍ରାଚ୍ୟ ସଙ୍କଟ ସମୟରେ ଦେଶରେ ଇନ୍ଧନର ସନ୍ତୁଳନ ବଜାୟ ରଖିବା ପାଇଁ ଏହି କଟକଣା ଲଗାଯାଇଥିଲା, ଯାହାକୁ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନିଆଯାଇଛି।
ସରକାରଙ୍କ ଏହି ନୂଆ ନିଷ୍ପତ୍ତି ପରେ ଏବେ ବଡ଼ ବଡ଼ ପରିବହନ କମ୍ପାନୀ, କାରଖାନା, ଶିଳ୍ପସଂସ୍ଥା ଏବଂ ଅନ୍ୟାନ୍ୟ କମର୍ସିଆଲ୍ ଗ୍ରାହକମାନେ କୌଣସି ସୀମା ନଥାଇ ପୂର୍ବଭଳି ସିଧାସଳଖ ରିଟେଲ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ କିଣିପାରିବେ।
କାହିଁକି ଲାଗିଥିଲା କଟକଣା ?
୨୦୨୬ ଜୁନ୍ ମାସରେ ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ଏବଂ ବିଶ୍ୱସ୍ତରୀୟ ସପ୍ଲାଇ ଚେନ୍ ବାଧାପ୍ରାପ୍ତ ହେବା କାରଣରୁ ଅଶୋଧିତ ତୈଳ ଆମଦାନୀ ଉପରେ ପ୍ରଭାବ ପଡ଼ିଥିଲା। ଦେଶରେ ଯେପରି ଇନ୍ଧନର ଅଭାବ ନ ଦେଖାଦିଏ, ସେଥିପାଇଁ ସରକାର ଜରୁରୀକାଳୀନ ପଦକ୍ଷେପ ସ୍ୱରୂପ କମର୍ସିଆଲ୍ ଗ୍ରାହକମାନେ ପେଟ୍ରୋଲ ପମ୍ପରୁ ଅଧିକ ପରିମାଣର ତେଲ କିଣିବା ଉପରେ କଟକଣା ଲଗାଇଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାଧାରଣ ଜନତାଙ୍କ ପାଇଁ ପେଟ୍ରୋଲ ପମ୍ପରେ ଇନ୍ଧନର ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ କଳାବଜାରୀ ରୋକିବା।
ବ୍ୟବସାୟୀଙ୍କୁ ବଡ଼ ଆଶ୍ୱସ୍ତି
ବର୍ତ୍ତମାନ ପଶ୍ଚିମ ଏସିଆରେ ସ୍ଥିତି ପୂର୍ବ ଅପେକ୍ଷା ବେଶ ସୁଧୁରିଛି ଏବଂ ଆନ୍ତର୍ଜାତୀୟ ବଜାରରେ ଇନ୍ଧନ ଯୋଗାଣ ମଧ୍ୟ ସ୍ଥିର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।