ସାଉଥହ୍ୟାମ୍ପଟନ: ଭାରତୀୟ କ୍ରିକେଟ ଦଳକୁ ଲାଗିଛି ଏକ ବଡ଼ ଝଟ୍କା। ସାଉଥହ୍ୟାମ୍ପଟନରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚ୍ରେ ଇଂଲଣ୍ଡ ହାତରୁ ୫୬ ରନରେ ପରାସ୍ତ ହେବା ସହ ଭାରତ ନିଜର ନମ୍ବର-୧ ସ୍ଥାନ ହରାଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ କୋସ ବଟଲରଙ୍କ ୧୩୧ ରନ ଓ ଅଧିନାୟକ ହ୍ୟାରୀ ବ୍ରୁକଙ୍କ ୯୫ ରନ ଇନିଂସ ରେକର୍ଡ ଭାଗିଦାରୀ ବଳରେ ୨୫୭ ରନ କରିଥିଲା। ଜବାବରେ ଭାରତ ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜକୁ ଇଂଲିଶ ଦଳ ୪-୦ରେ ପୋଛି ନେବା ସହ ଆଇସିସି ଟି-୨୦ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଦଖଲ କରିଛି। ଦୀର୍ଘ ସାଢ଼େ ଚାରି ବର୍ଷ ଧରି ଟି-୨୦ରେ ଚାଲିଥିବା ଟିମ୍ ଇଣ୍ଡିଆର ବାଦଶାହତରେ ଏବେ ବ୍ରେକ ଲଗାଇଛି ଇଂଲଣ୍ଡ। ଏପରିକି ତିନି ମ୍ୟାଚରୁ ଅଧିକ ସିରିଜରେ ଭାରତ ପ୍ରଥର ଗୋଟିଏ ହେଲେ ମ୍ୟାଚ୍ ଜିତି ପାରିନି।
୪.୫ ବର୍ଷ ପରେ ଗଲା ନମ୍ବର-୧ ସ୍ଥାନ
ଫେବୃଆରୀ ୨୦୨୨ରେ ଭାରତ ବିଶ୍ୱର ନମ୍ବର-୧ ଟି-୨୦ ଦଳ ହୋଇଥିଲା। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ଦୁଇ ଦୁଇଟି ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଥିଲା। କିନ୍ତୁ ଏହି ସିରିଜରେ ଶରଣାଗତି ପରେ ଭାରତୀୟ ଦଳ ଶୀର୍ଷ ସ୍ଥାନରୁ ଖସି ଯାଇଛି ଏବଂ ଇଂଲଣ୍ଡ ବିଶ୍ୱର ନୂଆ ନମ୍ବର-୧ ଟି-୨୦ ଦଳ ଭାବେ ଉଭା ହୋଇଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଦଳକୁ ଏହି ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି।
ଏହି ଅନ୍ତିମ ମ୍ୟାଚ୍ ପାଇଁ ଭାରତୀୟ ପ୍ଲେଇଙ୍ଗ୍ ଇଲେଭେନରେ ପରିବର୍ତ୍ତନ କରାଯାଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କୁ ବାହାରେ ବସାଇ ୩ଟି ମ୍ୟାଚ୍ ପରେ ସଞ୍ଜୁ ସାମସନଙ୍କୁ ଦଳକୁ ଫେରାଇ ଅଣାଯାଇଥିଲା। ହେଲେ ଭାରତୀୟ ବୋଲରଙ୍କ ବେପରୁଆ ବୋଲିଂ ଯୋଗୁଁ ଇଂଲଣ୍ଡ ୨୫୭ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ପ୍ରିନ୍ସ ଯାଦବ, ଅକ୍ଷର ପଟେଲ, ଶିବମ ଦୁବେ ଏବଂ ସୂର୍ଯ୍ୟାଂଶ ଶେଡଗେଙ୍କୁ ଇଂଲିଶ ବ୍ୟାଟରମାନେ ନିର୍ଧୁମ ପ୍ରହାର କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋସ୍ ବଟଲର (୧୩୧) ଏବଂ ହ୍ୟାରୀ ବ୍ରୁକ୍ (୯୫*) ବିସ୍ଫୋରକ ବ୍ୟାଟିଂ କରିଥିଲେ।
ଲଢ଼େଇ କଲେ ଈଶାନ ଓ ତିଲକ, ହେଲେ ଫ୍ଲପ୍ ହେଲେ ଓପନର
୨୫୮ ରନର ପାହାଡ଼ ସଦୃଶ ଲକ୍ଷ୍ୟ ଆଗରେ ଓପନର ଅଭିଷେକ ଶର୍ମା ଲଗାତାର ତୃତୀୟ ମ୍ୟାଚ୍ରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ। ସଞ୍ଜୁ ସାମସନ ମଧ୍ୟ ୧୪ ବଲରେ ୨୭ ରନ କରି ଆଉଟ୍ ହୋଇଯାଇଥିଲେ। ମଧ୍ୟକ୍ରମରେ ଈଶାନ କିଷାନ (୫୬) ଏବଂ ତିଲକ ବର୍ମା (୫୩) ଦମଦାର ଅର୍ଦ୍ଧଶତକ ହାସଲ କରି ଦଳକୁ ମ୍ୟାଚ୍କୁ ଫେରାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଟାର୍ଗେଟ ବହୁତ ବଡ଼ ଥିବାରୁ ଭାରତ ୨୦ ଓଭରରେ ୮ ୱିକେଟ ହରାଇ ୨୦୧ ରନ ହିଁ କରିପାରିଥିଲା।
ଭାରତୀୟ କ୍ରିକେଟ ଇତିହାସର ସବୁଠୁ ଖରାପ ରେକର୍ଡ
ଏହି ସିରିଜରେ ମୋଟ ୪ଟି ମ୍ୟାଚ୍ ହାରିବା ସହ ଭାରତ ଏକ ଅଲୋଡ଼ା ରେକର୍ଡ ନିଜ ନାମରେ କରିଛି। କୌଣସି ଗୋଟିଏ ଟି-୨୦ ସିରିଜ୍ ବା ଟୁର୍ନାମେଣ୍ଟରେ ଏହା ଭାରତର ସବୁଠାରୁ ବଡ଼ ପରାଜୟ। ଏହାପୂର୍ବରୁ ଆୟରଲ୍ୟାଣ୍ଡ ଗସ୍ତରେ ମଧ୍ୟ ଟିମ୍ ଇଣ୍ଡିଆ ୦-୨ରେ ସିରିଜ୍ ହାରିଥିଲା। ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯିବା ପରେ ବାକି ଚାରୋଟିଯାକ ମ୍ୟାଚରେ ଭାରତୀୟ ଦଳ ଧୂଳି ଚାଟିଛି।