ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରୁ ଦାନ ଅର୍ଥ ହଡ଼ପ ମାମଲାରେ ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ମନ୍ଦିରର ଶ୍ରଦ୍ଧାଳୁଙ୍କ ଦାନ ଟଙ୍କାକୁ କିଭଳି ଅତି ଚତୁରତାର ସହ ଲୁଟ୍ କରାଯାଉଥିଲା, ସେ ନେଇ ପୋଲିସ ଜେରା ବେଳେ ଅଭିଯୁକ୍ତମାନେ ବଡ଼ ଖୁଲାସା କରିଛନ୍ତି। ପ୍ରଥମେ ଦୈନିକ ମାତ୍ର କିଛି ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ଚୋରି ପରବର୍ତ୍ତୀ ସମୟରେ ଦିନକୁ ୩ ଲକ୍ଷରୁ ଅଧିକ ଟଙ୍କାରେ ପହଞ୍ଚିଥିଲା ବୋଲି ଜଣାପଡ଼ିଛି। ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି) ଏବଂ ଉତ୍ତର ପ୍ରଦେଶ ପୋଲିସର ତଦନ୍ତରୁ ଏହି ମହାଘୋଟାଲାର ପର୍ଦ୍ଦାଫାଶ ହୋଇଛି।
ପ୍ରଥମେ ୫୦୦ ଟଙ୍କିଆ ନୋଟ୍, ପରେ ବିଡ଼ା ବିଡ଼ା ଗାଏବ!
ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅବିନାଶ ଶୁକ୍ଳା ଓ ତାର ସହଯୋଗୀମାନେ ପ୍ରଥମେ ମନ୍ଦିରର ଟଙ୍କା ଗଣତି କେନ୍ଦ୍ରରୁ ଛୋଟ ଆକାରରେ ଚୋରି ଆରମ୍ଭ କରିଥିଲେ। ଆରମ୍ଭ ଦିନମାନଙ୍କରେ ସେମାନେ ଗଣତି ବେଳେ କେବଳ କିଛି ୫୦୦ ଟଙ୍କିଆ ନୋଟ୍ ଗାଏବ କରୁଥିଲେ, ଯାହାର ପରିମାଣ ଦୈନିକ ପ୍ରାୟ ୨,୦୦୦ ଟଙ୍କା ରହୁଥିଲା। ଏହି ଚୋରି ସହଜରେ ଧରା ନପଡ଼ିବାରୁ ସେମାନଙ୍କ ସାହସ ବଢ଼ିଯାଇଥିଲା। ପରବର୍ତ୍ତୀ ସମୟରେ, ବିଶେଷ କରି ମହାକୁମ୍ଭ ଏବଂ ପାର୍ବଣ ସମୟରେ ଯେତେବେଳେ ମନ୍ଦିରରେ ପ୍ରବଳ ଭିଡ଼ ହେଲା ଓ ଦାନର ପରିମାଣ ବଢ଼ିଲା, ସେତେବେଳେ ସେମାନେ ଦୈନିକ ୩ ଲକ୍ଷରୁ ଅଧିକ ଟଙ୍କାର ନୋଟ୍ ବିଡ଼ା ସିଧାସଳଖ ଗାଏବ କରିବାକୁ ଲାଗିଲେ।
ସିସିଟିଭି ବ୍ଲାଇଣ୍ଡ୍ ସ୍ପଟ୍ ଏବଂ ଶୌଚାଳୟର ବ୍ୟବହାର
ପୋଲିସ ହେପାଜତରେ ଥିବା ବେଳେ ଅଭିଯୁକ୍ତମାନେ ଚୋରିର ସାଂଘାତିକ ତରିକା ବିଷୟରେ ଜଣାଇଛନ୍ତି। ମନ୍ଦିରର ଟଙ୍କା ଗଣତି ପ୍ରକୋଷ୍ଠରେ ସିସିଟିଭି କ୍ୟାମେରା ଲାଗିଥିଲେ ମଧ୍ୟ ସେମାନେ ଯେଉଁ ସ୍ଥାନ କ୍ୟାମେରାରେ ଦେଖାଯାଏ ନାହିଁ ଚିହ୍ନଟ କରିଥିଲେ। ଟଙ୍କା ଗଣିବା ସମୟରେ ଅତି ଚତୁରତାର ସହ ନୋଟ୍କୁ ନିଜ ପକେଟ୍ ଓ ମୋଜା ଭିତରେ ଲୁଚାଇ ଦେଉଥିଲେ। ଏହାପରେ ସେହି ଟଙ୍କାକୁ ନେଇ ମନ୍ଦିର ପରିସରରେ ଥିବା ଶୌଚାଳୟ ଭିତରେ ଲୁଚାଇ ରଖୁଥିଲେ ଏବଂ ସୁଯୋଗ ଦେଖି ଡ୍ୟୁଟି ସରିବା ପରେ ବାହାରକୁ ସ୍ମଗଲିଂ କରୁଥିଲେ।
୧୫ ହଜାର ଦରମା, କିନ୍ତୁ କୋଟି କୋଟିର ସମ୍ପତ୍ତି!
ଏହି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ, ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଏବଂ କିଛି ଚୁକ୍ତିଭିତ୍ତିକ ଶ୍ରମିକ ସାମିଲ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମାସିକ ମାତ୍ର ୧୪ ରୁ ୧୫ ହଜାର ଟଙ୍କା ଦରମା ପାଉଥିବା ଏହି କର୍ମଚାରୀମାନେ ଅତି କମ୍ ଦିନରେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ବନିଯାଇଥିଲେ। ତଦନ୍ତ ବେଳେ ସେମାନଙ୍କ ପାଖରୁ ଦାମୀ ଏସୟୁଭି ଗାଡ଼ି, ଲକ୍ଷ ଲକ୍ଷ ଟଙ୍କାର ଆଧୁନିକ ଘରୋଇ ଉପକରଣ, ଜମିବାଡ଼ି ଏବଂ ବେଆଇନ ବ୍ୟାଙ୍କ କାରବାରର ସୂଚନା ମିଳିଛି। ପୋଲିସ ଏପର୍ଯ୍ୟନ୍ତ ନଗଦ ପ୍ରାୟ ୮୦ ଲକ୍ଷ ଟଙ୍କା ସହ ବହୁ ପରିମାଣର ସୁନା-ରୂପା ଗହଣା ଓ ବିଦେଶୀ ମୁଦ୍ରା ଜବତ କରିସାରିଛି।