ଭିଏତନାମର ଫୁ କ୍ୱୋକ୍ ଦ୍ୱୀପ ନିକଟରେ ଏକ ଦୁଃଖଦ ଡଙ୍ଗା ଦୁର୍ଘଟଣାରେ ୧୫ ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳର ଲୋକ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁଙ୍କ ସମେତ ଅନେକ ନେତା ଏହି ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଭିଏତନାମରେ ଶନିବାର ଦିନ ଏକ ଡଙ୍ଗା ଦୁର୍ଘଟଣାରେ ୧୫ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଭିଏତନାମରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ସୂଚୀ ଅନୁଯାୟୀ, ମୃତ ୧୫ ଜଣଙ୍କ ମଧ୍ୟରୁ ୧୦ ଜଣ ତାମିଲନାଡୁର, ୩ ଜଣ ଆନ୍ଧ୍ରପ୍ରଦେଶର ଏବଂ ୨ ଜଣ କେରଳର ଅଟନ୍ତି। ଏହି ଦୁର୍ଘଟଣା ଯୋଗୁଁ ହୋଇଥିବା ଅପୂରଣୀୟ କ୍ଷତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କ ସମେତ ଅନେକ ଜାତୀୟ ନେତା ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟପଟେ, ଭିଏତନାମରେ ଥିବା ଭାରତୀୟ କୂଟନୈତିକ ମିଶନ କହିଛି ଯେ ସେମାନେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଅଧିକ ସୂଚନା ମିଳିବା ପରେ ଅପ୍ଡେଟ୍ ପ୍ରଦାନ କରିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ୩୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍ପିଡ୍ବୋଟ୍ 'ମେ ରଟ୍ ନଗୋଇ ଆଇଲେଟ୍' ଠାରୁ ପ୍ରୟ ୪୦୦ ମିଟର ଦୂରରେ ଓଲଟି ପଡ଼ିଥିଲା। ସେହି ଅଞ୍ଚଳରେ ଥିବା ପର୍ଯ୍ୟଟନ ଡଙ୍ଗାଗୁଡ଼ିକ ଓଲଟି ପଡ଼ିଥିବା ବୋଟ୍କୁ ଦେଖି ସାହାଯ୍ୟ ପାଇଁ ଦୌଡ଼ିଥିଲେ। ଉଦ୍ଧାର କାର୍ଯ୍ୟରେ ସାମିଲ ଜଣେ ଡଙ୍ଗା ମାଲିକ କହିଛନ୍ତି ଯେ ସେମାନେ ୫ ମିନିଟ୍ ଭିତରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ, କିନ୍ତୁ ଅନେକ ଯାତ୍ରୀ ଓଲଟି ଯାଇଥିବା ଡଙ୍ଗା ଭିତରେ ଫସି ରହିଥିଲେ, ଯାହାଫଳରେ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡ଼ିଥିଲା।
ଡଙ୍ଗାରେ ଥିଲେ ୩୨ ଭାରତୀୟ, ୧୫ ଜଣଙ୍କର ଗଲା ଜୀବନ
ଭିଏତନାମରେ ଥିବା ଭାରତୀୟ ଦୂତାବାସ ଡଙ୍ଗାରେ ସବାର ଥିବା ସମସ୍ତ ୩୨ ଜଣ ଭାରତୀୟଙ୍କ ତାଲିକା ଏବଂ ମୃତକଙ୍କ ଏକ ପୃଥକ ତାଲିକା ଜାରି କରିଛି। ଜାରି ବୟାନରେ କୁହାଯାଇଛି, "ଅତ୍ୟନ୍ତ ଦୁଃଖର ସହ ଆମେ ସେହି ୧ ଜଣ ଭାରତୀୟ ନାଗରିକଙ୍କ ତାଲିକା ସେୟାର କରୁଛୁ, ଯେଉଁମାନେ ଆଜି ଫୁ କ୍ୱୋକ୍ ଦ୍ୱୀପ ନିକଟରେ ଘଟିଥିବା ଦୁଃଖଦ ଡଙ୍ଗା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ତାଲିକା ଭିଏତନାମ କର୍ତ୍ତୃପକ୍ଷଙ୍କ ଠାରୁ ହସ୍ତଗତ ହୋଇଛି। ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି।"
ମୃତକଙ୍କ ନାମ ଏବଂ ସେମାନଙ୍କ ରାଜ୍ୟ:
୧. ସେନ୍ଥିଲ କୁମାର ଜୟାଭେଲ (ତାମିଲନାଡୁ)
୨. ମୁରୁଗା ପ୍ରଭୁ ଆରୁମୁଗମ (ତାମିଲନାଡୁ)
୩. ଶ୍ରୀଧର ସୁନ୍ଦରରାଜନ (ତାମିଲନାଡୁ)
୪. ଶେଖ୍ ଅବଦୁଲ୍ଲା ଅବଦୁଲ ମଜିଦ୍ (ତାମିଲନାଡୁ)
୫. ବାଲାଜୀ ନଟେସନ (ତାମିଲନାଡୁ)
୬. ବିନୟ କୁମାର ଚିତାପୁରମ ଭାସ୍କର (ତାମିଲନାଡୁ)
୭. ରବିଶଙ୍କର ସୁଗୁମାରନ (ତାମିଲନାଡୁ)
୮. ସନ୍ତୋଷ କୁମାର ଶାନ୍ତିଲାଲ ଜୈନ (ତାମିଲନାଡୁ)
୯. ବାବୁ କୁପ୍ପୁସ୍ୱାମୀ (ତାମିଲନାଡୁ)
୧୦. ଅଲଗୁରାଜନ ଶିବସାମୀ (ତାମିଲନାଡୁ)
୧୧. ନଲ୍ଲପେଟା ଆଦିଶେଷାୟା ରବିତେଜା (ଆନ୍ଧ୍ରପ୍ରଦେଶ)
୧୨. ଶ୍ରୀଧର ମୁଡିୟମ (ଆନ୍ଧ୍ରପ୍ରଦେଶ)
୧୩. ଜୟା ଲକ୍ଷ୍ମୀ ଗେଲି (ଆନ୍ଧ୍ରପ୍ରଦେଶ)
୧୪. ଏଭିକୋଟ ଚେରିଆନ୍ ଥୋମାସ (କେରଳ)
୧୫. ଲୋଭେନି ଥୋମାସ (କେରଳ)
ଭାରତୀୟଙ୍କ ନିଧନରେ ଶୋକର ଛାୟା
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ଜାତୀୟ ନେତା ଏହି କ୍ଷତି ଉପରେ ଦୁଃଖ ପ୍ରକାଶ କରିଛନ୍ତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, "ଭିଏତନାମରେ ଏକ ଡଙ୍ଗା ଦୁର୍ଘଟଣା ଖବର ଶୁଣି ମୁଁ ମର୍ମାହତ, ଯେଉଁଥିରେ ଅନେକ ଭାରତୀୟ ନାଗରିକଙ୍କ ଜୀବନ ଚାଲିଯାଇଛି। ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ମୁଁ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି।"
ଦୁର୍ଘଟଣା ଉପରେ ପିଏମ୍ ମୋଦୀ ପ୍ରକାଶ କଲେ ଦୁଃଖ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି, "ଭିଏତନାମର ଫୁ କ୍ୱୋକ୍ ନିକଟରେ ଭାରତୀୟ ନାଗରିକମାନଙ୍କ ସହ ଘଟିଥିବା ଡଙ୍ଗା ଦୁର୍ଘଟଣାର ଦୁଃଖଦ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ। ଯେଉଁ ପରିବାର ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ଆନ୍ତରିକ ସମବେଦନା। ଆହତମାନେ ଯେପରି ଶୀଘ୍ର ସୁସ୍ଥ ହେବେ, ସେଥିପାଇଁ ମୋର ପ୍ରାର୍ଥନା। ଆମର ଦୂତାବାସ ଏବଂ କନସୁଲେଟ୍ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି। ଆମ ଅଧିକାରୀମାନେ ମଧ୍ୟ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ନିବିଡ଼ ଯୋଗାଯୋଗରେ ଅଛନ୍ତି।"
ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ମଧ୍ୟ ଏହି ଦୁର୍ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି, ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ଆହତମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ସେ ଏହି ଦୁର୍ଘଟଣାରେ ପ୍ରଭାବିତ ସମସ୍ତଙ୍କ ପାଇଁ ଶକ୍ତି ଏବଂ ସାହସ କାମନା କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଭାରତୀୟ ପର୍ଯ୍ୟଟକମାନଙ୍କ ସହ ଘଟିଥିବା ଦୁର୍ଘଟଣାରେ ଜୀବନହାନି ହୋଇଥିବାରୁ ସେ ବହୁତ ଦୁଃଖିତ। ସେ ପ୍ରଭାବିତ ପରିବାର ପ୍ରତି ନିଜର ସହାନୁଭୂତି ପ୍ରକାଶ କରିଛନ୍ତି, ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏବଂ ଜାରି ରହିଥିବା ସର୍ଚ୍ଚ ଓ ରେସକ୍ୟୁ ଅପରେସନର ସଫଳତା ଆଶା କରିଛନ୍ତି। ସେ କହିଛନ୍ତି ଯେ ଭିଏତନାମରେ ଥିବା ଭାରତୀୟ ଦୂତାବାସ ଏହି ଘଟଣାରେ ପ୍ରଭାବିତ ଭାରତୀୟ ନାଗରିକମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେଉଛି।