ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ଜଣାପଡ଼ିଛି। ଶନିବାର ପାଇଁ ଓଡ଼ିଶା ସମେତ ଦେଶର ୧୫ଟି ରାଜ୍ୟକୁ ଝଡ଼ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି। ଏତିକିରେ ନିସ୍ତାର ନାହିଁ, ଆସନ୍ତା ଜୁଲାଇ ୨୪ ତାରିଖ ବେଳକୁ ପୁଣି ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି, ଯାହା ରାଜ୍ୟବାସୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି।
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହି ଜଳବନ୍ଦୀ ସ୍ଥିତି ଉପୁଜିଛି। ନଦୀଗୁଡ଼ିକର ଜଳସ୍ତର ହୁ ହୁ ହୋଇ ବଢ଼ୁଥିବା ବେଳେ କେତେକ ସ୍ଥାନରେ ବନ୍ଧ ଡେଇଁ ବନ୍ୟା ପାଣି ଗାଁ ଭିତରକୁ ପଶିଯାଇଛି।ଆଠଗଡ଼ ଅଞ୍ଚଳରେ ‘ସାପୁଆ’ ନଦୀ ଉଚ୍ଛୁଳୁଥିବାରୁ ଏହାର ପାଣି କିଛି ନିକଟବର୍ତ୍ତୀ ଗାଁରେ ପ୍ରବେଶ କରିଛି।
ଯଦି ସାପୁଆ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଏ, ତେବେ ଢେଙ୍କାନାଳ ଓ ଆଠଗଡ଼ର ବ୍ୟାପକ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଭଦ୍ରକର ଆଖୁଆପଦା ଏବଂ ବାଲେଶ୍ୱରର ଜଳକା ନଦୀର ମଥାନୀଠାରେ ଜଳସ୍ତର ଏବେ ବିପଦ ସଙ୍କେତର ସୀମା ଛୁଇଁବାକୁ ବସିଛି। ଏହାଦ୍ୱାରା ବାଲେଶ୍ୱର ଜିଲ୍ଲାର କିଛି ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ପ୍ରକାଶ ପାଇଛି।
ସାଧାରଣଠାରୁ ୧୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ
ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ, ଚଳିତ ଜୁଲାଇ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ପ୍ରାୟ ୧୭% ଅଧିକ ବର୍ଷା ରେକର୍ଡ ହୋଇଛି। ଗତ କିଛି ଦିନ ହେବ ପଶ୍ଚିମରୁ ଉପକୂଳ ସବୁଠି ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ତେବେ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।
ହୀରାକୁଦର ଜଳସ୍ତର ବଢ଼ିବ, ମୁଣ୍ଡଳୀ ଉପରେ ନଜର
ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରୁ ପ୍ରବଳ ପାଣି ଆସୁଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ଆକଳନ ଅନୁସାରେ, ଆସନ୍ତାକାଲି (ଶନିବାର) ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳୀ ବ୍ୟାରେଜ୍ ଦେଇ ପ୍ରାୟ ୩ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହୋଇପାରେ। ସ୍ଥିତି ଉପରେ ଜଳସମ୍ପଦ ବିଭାଗ ତୀକ୍ଷ୍ଣ ନଜର ରଖିଛି।