ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୁପାନନ୍ଦ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ କଲେଜ କର୍ମଚାରୀଙ୍କ ମଧ୍ୟରେ ଲାଗିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି । କଲେଜ ଅଧ୍ୟକ୍ଷ ଦୟାନିଧି ରାଉତରାୟଙ୍କୁ ଆଜି ରଘୁନାଥପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ନେଇ ଖବର ଓଡ଼ିଶାରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା।
ଦୀର୍ଘଦିନ ହେବ କଲେଜ କର୍ମଚାରୀ ପ୍ରିନ୍ସିପାଲଙ୍କ ବ୍ୟବହାରରେ ମାନସିକ ଚାପରେ ଥିଲେ। ଖବର ଓଡ଼ିଶା ସମ୍ମୁଖରେ ଏହାକୁ ନେଇ ପ୍ରଥମେ କଲେଜ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମୁହଁ ଖୋଲିଥିଲେ । ପରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଆଜି ରଘୁନାଥ ପୁର ପୋଲିସ ଭାରତୀୟ ନ୍ୟାୟ ସଂହିତା ଦଫା ୭୫ (ଘ), ୨୯୬, ୧୧୫ରେ କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରିଥିଲା । ଏହା ପରେ ଅଧ୍ୟକ୍ଷଙ୍କୁ କୋର୍ଟ ଚାଲାଣ କରାଯାଇଛି । କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଆଳିପିଙ୍ଗଳ ଜେଲକୁ ପଠାଇ ଦିଆଯାଇଛି ।