ପବିତ୍ର ରଥଯାତ୍ରା ଅବସରରେ ବହୁ ଚର୍ଚ୍ଚିତ ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର ଫିଲ୍ମର ନିର୍ମାତାଙ୍କ ଆବେଦନ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ରଥଯାତ୍ରା ଶେଷ ହେବା ପୂର୍ବରୁ ଫିଲ୍ମ ମୁକ୍ତିଲାଭ କରିପାରିବ ନାହିଁ। ତେବେ ଜୁଲାଇ ୨୭ ପରେ ଫିଲ୍ମ ରିଲିଜ୍ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି।
ବିଚାରପତି ବି.ଭି. ନାଗରତ୍ନା ଏବଂ ଆର୍. ମହାଦେବନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ ଯେ, ରଥଯାତ୍ରା ଆରମ୍ଭ ହୋଇସାରିଛି ଏବଂ ଏହା ଜୁଲାଇ ୨୭ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଫିଲ୍ମ ରିଲିଜ୍ କରିବା ଉଚିତ ହେବ ନାହିଁ। କୋର୍ଟ କହିଥିଲେ, “ରଥଯାତ୍ରା ସମୟରେ ଫିଲ୍ମ ରିଲିଜ୍ କରନ୍ତୁ ନାହିଁ, ଯାତ୍ରା ଶେଷ ହେବା ପରେ ମୁକ୍ତିଲାଭ କରାନ୍ତୁ।”
ଏହାପୂର୍ବରୁ ଓଡ଼ିଶା ହାଇକୋର୍ଟ ଫିଲ୍ମ ମୁକ୍ତି ଉପରେ ରୋକ୍ ଲଗାଇଥିଲେ। ହାଇକୋର୍ଟଙ୍କ ମତ ଥିଲା ଯେ, ଫିଲ୍ମର କାହାଣୀ ‘ସ୍କନ୍ଦ ପୁରାଣ’ର ବର୍ଣ୍ଣନା ସହ ସମ୍ପୂର୍ଣ୍ଣ ସମଞ୍ଜସ ନୁହେଁ। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଫିଲ୍ମର ପ୍ରଯୋଜକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ନିର୍ମାତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ କୋର୍ଟରେ ଯୁକ୍ତି ରଖି କହିଥିଲେ ଯେ, ଏହା ପିଲାମାନଙ୍କ ପାଇଁ ପ୍ରସ୍ତୁତ ଏକ ଆନିମେଟେଡ୍ ଫିଲ୍ମ ଏବଂ ରିଲିଜ୍ ବନ୍ଦ ହେବା ଯୋଗୁଁ ପ୍ରଯୋଜକଙ୍କ କୋଟି କୋଟି ଟଙ୍କାର କ୍ଷତି ହୋଇଛି। ସେମାନେ ଏହା ମଧ୍ୟ କହିଥିଲେ ଯେ, ‘ମହାପ୍ରଭୁ ଜଗନ୍ନାଥ’ ଲୋକପ୍ରିୟ ଆନିମେଟେଡ୍ ଧାରାବାହିକ ‘ଜୟ ଜଗନ୍ନାଥ’ର ଏକ ବିସ୍ତାର ଏବଂ ମହାପ୍ରଭୁଙ୍କ ପ୍ରତି ଗଭୀର ଭକ୍ତି ଓ ନିଷ୍ଠାର ସହ ଏହାକୁ ନିର୍ମାଣ କରାଯାଇଛି।
ଫିଲ୍ମଟି ହିନ୍ଦୀ, ଓଡ଼ିଆ ଓ ତେଲୁଗୁ ଭାଷାରେ CBFC ପକ୍ଷରୁ ‘U’ ସର୍ଟିଫିକେଟ୍ ପାଇସାରିଛି। ଦୁର୍ଗା ପ୍ରସାଦ ଦଳାଇଙ୍କ ପ୍ରଯୋଜନାରେ Ele Animations Pvt. Ltd. ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଶ୍ରୀପାଦ ୱାରଖେଡକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି। ସାରା ଦେଶରେ ୩୦୦ରୁ ଅଧିକ ପ୍ରେକ୍ଷାଳୟରେ ଏହାକୁ ମୁକ୍ତିଲାଭ କରାଇବାର ଯୋଜନା ଥିଲା। ତେବେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରା ଶେଷ ହେବା ପରେ ହିଁ ଦର୍ଶକମାନେ ବଡ଼ ପରଦାରେ ‘ମହାପ୍ରଭୁ ଜଗନ୍ନାଥ’କୁ ଦେଖିପାରିବେ।