ଫୁଲବାଣୀ: ବିଦ୍ୟୁତ ସଂଯୋଗ ଦେବା ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପୂର୍ବତନ TPSODL ଲାଇନମ୍ୟାନ୍ କାଳୁ ଚରଣ ପାଲେଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଫୁଲବାଣୀ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ। ଅଦାଲତ ତାଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହି ରାୟ ପରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନକୁ ଆଉ ଏକ ବଡ଼ ସଫଳତା ମିଳିଛି।
ସୂଚନା ଅନୁସାରେ, କାଳୁ ଚରଣ ପଲେଇ କନ୍ଧମାଳ ଜିଲ୍ଲାର ଟିକାବାଲି ବିଦ୍ୟୁତ ବିଭାଗରେ ଗ୍ରେଡ୍-ଏ ଲାଇନମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ। ପରେ ତାଙ୍କର କୋଟଗଡ଼ ବିଦ୍ୟୁତ ବିଭାଗକୁ ବଦଳି ହୋଇଥିଲା। ୨୦୨୨ ମସିହାରେ ଜଣେ ଦୋକାନୀଙ୍କୁ ନୂଆ ବିଦ୍ୟୁତ ସଂଯୋଗ ଦେବା ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ପାଇବା ପରେ ଓଡ଼ିଶା ଭିଜିଲାନ୍ସ ଯୋଜନାବଦ୍ଧ ଚଢ଼ାଉ କରି ତାଙ୍କୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରିଥିଲା।
ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ପରେ ଚାର୍ଜସିଟ୍ ଦାଖଲ ହୋଇଥିଲା ଏବଂ ମାମଲାର ବିଚାରଣା ପରେ ଫୁଲବାଣୀ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ରାୟ ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, କାଳୁ ଚରଣ ପାଲେଇଙ୍କୁ ସରକାରୀ ସେବାରୁ ବର୍ଖାସ୍ତ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ସୁପାରିସ କରାଯିବ। ଏହି ରାୟ ଦୁର୍ନୀତିରେ ଲିପ୍ତ ସରକାରୀ ଓ ସେବା ପ୍ରଦାନକାରୀ କର୍ମଚାରୀଙ୍କ ପାଇଁ କଡ଼ା ବାର୍ତ୍ତା ବୋଲି ଭିଜିଲାନ୍ସ କହିଛି। ସରକାରୀ ସେବାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆଗାମୀ ଦିନରେ ଏଭଳି କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବ ବୋଲି ସୂଚନା ମିଳିଛି।