ରାଜ୍ୟରେ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛି। ଶୁକ୍ରବାର କ୍ରାଇମବ୍ରାଞ୍ଚର ଏକ ଟିମ୍ ଏକକାଳୀନ SCERT, OSEPA ଏବଂ ପାଠ୍ୟପୁସ୍ତକ ମୁଦ୍ରଣ ଓ ବିକ୍ରୟ କାର୍ଯ୍ୟାଳୟରେ ପହଞ୍ଚି ଦସ୍ତାବିଜ୍ ଯାଞ୍ଚ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରିଛି। ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ଏହି ଛାନଭିନକୁ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି ଧରାଯାଉଛି।
ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ପାଠ୍ୟପୁସ୍ତକ ମୁଦ୍ରଣାଳୟର ନିର୍ଦ୍ଦେଶକଙ୍କୁ ପଚରାଉଚରା କରିବା ସହ ବହି ଛପା, ଖର୍ଚ୍ଚ ଓ ତ୍ରୁଟି ସମ୍ପର୍କିତ ବିଭିନ୍ନ ଫାଇଲ୍ ଓ ଦସ୍ତାବିଜ୍ ଯାଞ୍ଚ କରିଛି। ଏହାପୂର୍ବରୁ ମଧ୍ୟ ତଦନ୍ତକାରୀ ଟିମ୍ SCERTରୁ ବହି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। OSEPAରୁ ତଥ୍ୟ ସଂଗ୍ରହ ପରେ ଏବେ SCERTରେ ଡାଟା ଓ ରେକର୍ଡର ଖୁବ୍ ବାରିକୀରେ ଯାଞ୍ଚ ଚାଲିଛି।
ଏହି ମାମଲାରେ ନୂଆ ମୋଡ଼ ଆଣିଛି ପାଠ୍ୟପୁସ୍ତକ ମୁଦ୍ରଣ ଓ ବିକ୍ରୟ କାର୍ଯ୍ୟାଳୟର ପୂର୍ବତନ ସିନିୟର ଅଫସେଟ ଅପରେଟର ପ୍ରଦୀପ କୁମାର ମିଶ୍ରଙ୍କ ଅଭିଯୋଗ। ସେ ଦାବି କରିଛନ୍ତି ଯେ, ମୁଦ୍ରଣାଳୟରେ ପ୍ରୁଫ୍ ରିଡର ନଥିବାରୁ ପ୍ରୁଫ୍ ରିଡିଂ ବିନା ହିଁ ପାଠ୍ୟପୁସ୍ତକ ଛପାଯାଇଥିଲା, ଯାହା ଫଳରେ ବହିରେ ଏକାଧିକ ତ୍ରୁଟି ଦେଖାଦେଇଥିଲା।
ଏତିକି ନୁହେଁ, ପୂର୍ବତନ ପ୍ରୁଫ୍ ରିଡରଙ୍କଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ପଦୋନ୍ନତି ଦିଆଯାଇଥିବା ଏବଂ କମ୍ ଦାମର ପୁରୁଣା ମେସିନ୍ କିଣି କୋଟି କୋଟି ଟଙ୍କାର ହେରଫେର ହୋଇଥିବା ନେଇ ମଧ୍ୟ ସେ ଗୁରୁତର ଅଭିଯୋଗ ଆଣିଛନ୍ତି।
ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। ଶିକ୍ଷା ବିଭାଗ ସହ ଜଡ଼ିତ ଏହି ସମ୍ବେଦନଶୀଳ ମାମଲା ଆଗାମୀ ଦିନରେ ଆଉ ବଡ଼ ଖୁଲାସା ଆଣିପାରେ ବୋଲି ଚର୍ଚ୍ଚା ହେଉଛି।