ନୂଆଦିଲ୍ଲୀ: ଆସନ୍ତା ୨୦ରେ ଆରମ୍ଭ ହେବାକୁ ଥିବା ଅଷ୍ଟାଦଶ ସଂସଦର ଅଷ୍ଟମ ଅଧିବେଶନରେ କେନ୍ଦ୍ର ସରକାର ୫ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରିପାରନ୍ତି । ଉକ୍ତ ପାଞ୍ଚଟି ବିଲରେ ଆଲୋଚନା ହେବା ସହିତ ସରକାର ଏହାକୁ ଉଭୟ ଗୃହରେ ପାରିତ କରିବାକୁ ଚେଷ୍ଟା କରିବେ ।
ସଂସଦ ଅଧିବେଶନରେ ଅଧ୍ୟାଦେଶ ଥିବା ଆୟକର ସଂଶୋଧନ ବିଲ୍ ୨୦୨୬ ବିଲ୍ ଆଗତ ହେବା ରହିଛି । ସେହିପରି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧିତ ବିଲ୍ ୨୦୨୬କୁ ମଧ୍ୟ ଆଗତ କରାଯିବ । ଏହି ବିଲ୍ ରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ଆଇନ, ୧୯୫୬ ରେ ସଂଶୋଧନ ଆଣିବାକୁ ଚେଷ୍ଟା କରୁଛନ୍ତି ସରକାର । ଯାହା ଦ୍ୱାରା ଭାରତର ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ବର୍ତ୍ତମାନର ୩୩ ରୁ ୩୭ କୁ ବୃଦ୍ଧି କରାଯାଇପାରିବ । ଆଗତ ହେବାକୁ ଥିବା ଅନ୍ୟ ବିଲ୍ ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍ ୨୦୨୬ ଦ୍ୱାରା ବିଳମ୍ବିତ ପଞ୍ଜୀକରଣର ବ୍ୟବସ୍ଥାକୁ ଅଧିକ କଠୋର କରିବା ପାଇଁ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଆଇନ, ୧୯୬୯ (୨୦୨୩ ରେ ସଂଶୋଧିତ)ର ଧାରା ୧୩(୩)କୁ ଆହୁରି ସଂଶୋଧନ କରିବାକୁ ଚେଷ୍ଟା କରାଯାଇଛି । ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଲ୍ ୨୦୨୬ ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ସଂଶୋଧନ ଆଗତ ହୋଇପାରେ । ଏହି ବିଲ୍ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ଆଇନ, ୨୦୦୬କୁ ପରିବର୍ତ୍ତିତ ଏମ୍ଏସ୍ଏମ୍ଇ ଦୃଶ୍ୟପଟ ସହିତ ସମନ୍ୱିତ କରିବା, ବ୍ୟବସାୟ କରିବାର ସହଜତାକୁ ବୃଦ୍ଧି କରିବା ଏବଂ ଏମ୍ଏସ୍ଏମ୍ଇ ଇକୋସିଷ୍ଟମରେ ବିଶ୍ୱାସ-ଭିତ୍ତିକ ନିୟମ ଆଣିବା, ବିଳମ୍ବ ହୋଇଥିବା ଦେୟ ସମାଧାନ ପାଇଁ ତନ୍ତ୍ରକୁ ସୁଦୃଢ଼ କରିବାକୁ ସରକାର ଚେଷ୍ଟା କରୁଛନ୍ତି ।
ସେହିପରି ଏଫସିଆରଏ ଓ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବାର ରହିଛି । ଏହି ଦୁଇଟି ବିଲ୍ ପୂର୍ବ ଅଧିବେଶନ ମାନଙ୍କରେ ଆଗତ ହୋଇଥିବାବେଳେ ତାହା ପାରିତ ହୋଇପାରି ନାହିଁ । ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ବର୍ତ୍ତମାନ ସଂସଦୀୟ ଯୁଗ୍ମ କମିଟିରେ ଆଲୋଚନାର ରହିଛି ।