ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ପରିବାରଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ରୋଜଗାର କାର୍ଡ ପ୍ରସ୍ତୁତିରେ ବିଳମ୍ବ ହେଲେ ମଧ୍ୟ ଆଉ କେହି କାମରୁ ବଞ୍ଚିତ ହେବେ ନାହିଁ। ଗ୍ରାମୀଣ ପରିବାରଙ୍କ ରୋଜଗାର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଏବେ ଅନ୍ତରୀଣ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ (GRGC) ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବ୍ୟବସ୍ଥା ‘ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍ ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)’ ବା VB-GRAMG ଆଇନ, ୨୦୨୫ ଅଧୀନରେ କାର୍ଯ୍ୟକାରୀ ହେବ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ (DPC), ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ବ୍ଲକ୍ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏହି ଅନ୍ତରୀଣ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚୂଡ଼ାନ୍ତ GRGC କାର୍ଡ ଛପା ଓ ବଣ୍ଟନ ଶେଷ ହେବା ପର୍ଯ୍ୟନ୍ତ ଯୋଗ୍ୟ ପରିବାରମାନେ ଏହି ଅନ୍ତରୀଣ କାର୍ଡ ମାଧ୍ୟମରେ ରୋଜଗାର ସୁବିଧା ପାଇପାରିବେ।
VB-GRAMG ଆଇନ ଅନୁଯାୟୀ, ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର ଶ୍ରମଭିତ୍ତିକ ନିଶ୍ଚିତ ରୋଜଗାର ପ୍ରଦାନ କରାଯିବ। ଏହି ଯୋଜନାରେ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ହିଁ ପ୍ରମୁଖ ପରିଚୟପତ୍ର ଓ ଅଧିକାରପତ୍ର ଭାବେ କାମ କରିବ। ତେବେ ସ୍ଥାୟୀ କାର୍ଡ ପ୍ରସ୍ତୁତିରେ ସମୟ ଲାଗୁଥିବାରୁ ସରକାର ଅନ୍ତରୀଣ ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କ ରୋଜଗାର ଅଧିକାରକୁ ସୁରକ୍ଷିତ ରଖିଛନ୍ତି।
ସରକାର ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ମନରେଗା ଜବ୍ କାର୍ଡଧାରୀଙ୍କ ଇ-କେୱାଇସି (e-KYC) ସମ୍ପୂର୍ଣ୍ଣ ହୋଇସାରିଛି, ସେମାନଙ୍କ କାର୍ଡକୁ ବୈଧ ଭାବେ ଗଣାଯିବ। ଅନ୍ୟପଟେ ଯେଉଁମାନଙ୍କର ଇ-କେୱାଇସି ବାକି ରହିଛି, ସେମାନଙ୍କୁ ତୁରନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ପ୍ରକୃତ ହିତାଧିକାରୀଙ୍କ ପରିଚୟ ନିଶ୍ଚିତ ହେବା ସହ ଭୁଆ କାର୍ଡଧାରୀଙ୍କୁ ଚିହ୍ନଟ କରିବା ସହଜ ହେବ।
ଗ୍ରାମ ପଞ୍ଚାୟତ ହିଁ ଅନ୍ତରୀଣ କାର୍ଡ ବଣ୍ଟନର ସମ୍ପୂର୍ଣ୍ଣ ଦାୟିତ୍ୱ ନେବ। ଆବେଦନ ଗ୍ରହଣ, ଯୋଗ୍ୟତା ଯାଞ୍ଚ, ଇ-କେୱାଇସି, ପୋର୍ଟାଲରେ ପଞ୍ଜୀକରଣ, କାର୍ଡ ପ୍ରିଣ୍ଟ ଓ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ନିର୍ଦ୍ଦିଷ୍ଟ SOP ଅନୁସାରେ କରାଯିବ। କାର୍ଡ ନେବା ପରେ ହିତାଧିକାରୀଙ୍କଠାରୁ ପ୍ରାପ୍ତି ସ୍ୱୀକୃତି ମଧ୍ୟ ସଂଗ୍ରହ କରାଯିବ।
ଚୂଡ଼ାନ୍ତ GRGC କାର୍ଡ ବଣ୍ଟନ ହେବା ପରେ ବର୍ତ୍ତମାନର ମନରେଗା ଜବ୍ କାର୍ଡ କିମ୍ବା ଅନ୍ତରୀଣ କାର୍ଡକୁ ବାତିଲ କରାଯିବ। ସରକାରଙ୍କ ଏହି ପଦକ୍ଷେପ କେବଳ ରୋଜଗାର ଅଧିକାରକୁ ସୁରକ୍ଷା ଦେବ ନୁହେଁ, ବରଂ ଗ୍ରାମୀଣ ରୋଜଗାର ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଡିଜିଟାଲ, ଦୁର୍ନୀତିମୁକ୍ତ ଓ ଜବାବଦେହି କରିବାରେ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି। ଏହାଦ୍ୱାରା କୌଣସି ଯୋଗ୍ୟ ଗ୍ରାମୀଣ ପରିବାର ଆଉ ରୋଜଗାର ସୁବିଧାରୁ ବଞ୍ଚିତ ହେବେ ନାହିଁ।