ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସୀମା ବିବାଦ ଓ ତିକ୍ତତା ମଧ୍ୟରେ ଏକ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ସରସଂଘଚାଳକ ମୋହନ ଭାଗବତ। ପଡ଼ୋଶୀ ଦେଶ ପାକିସ୍ତାନ ସହ ଆଲୋଚନାର ଦ୍ୱାର ସଦାସର୍ବଦା ଖୋଲା ରଖିବା ଉଚିତ୍ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି, "ଆମେ ହିଟଲର ନୁହଁନ୍ତି।" ତାଙ୍କର ଏହି ମନ୍ତବ୍ୟ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ମୋହନ ଭାଗବତ କହିଛନ୍ତି ଯେ, କୌଣସି ବି ସମସ୍ୟାର ସମାଧାନ କେବଳ ଯୁଦ୍ଧ କିମ୍ବା ଶତ୍ରୁତା ଦ୍ୱାରା ହୋଇନଥାଏ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆଲୋଚନାର ମାଧ୍ୟମ ଜାରି ରହିବା ଆବଶ୍ୟକ। ଭାରତ ସବୁବେଳେ ଶାନ୍ତି ଓ ବସୁଧୈବ କୁଟୁମ୍ବକମ୍ ବିଶ୍ୱ ଏକ ପରିବାର ନୀତିରେ ବିଶ୍ୱାସ କରେ। ଆମେ କୌଣସି ଏକଛତ୍ରବାଦୀ ଶାସକ କିମ୍ବା ହିଟଲରଙ୍କ ଭଳି ମାନସିକତା ରଖୁନାହୁଁ, ଯିଏ କେବଳ ବିନାଶ ଚାହେଁ।
ମୋହନ ଭାଗବତ କହିଛନ୍ତି, ପାକିସ୍ତାନରେ ଆଜି ବି ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ଏହା ସ୍ୱୀକାର କରନ୍ତି ଯେ, ଭାରତର ବିଭାଜନ ଭୁଲ୍ ଥିଲା । ସେଠାକାର ଅନେକ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆରଏସଏସ ଓ ଏହାର କାମକୁ ପ୍ରଶଂସା କରନ୍ତି । ପାକିସ୍ତାନ ଭିତରେ ଏମିତି ଏକ ବଡ ବର୍ଗ ଅଛନ୍ତି ଯେଉଁମାନେ ପାକିସ୍ତାନର ମୂଳ ବିଚାରଧାରା ଏବଂ ଟୁ-ନେସନ ଥିଓରୀ ବିରୋଧରେ ଅଛନ୍ତି । ସେମାନଙ୍କ କହିବା କଥା ଆମେ ଦୁଇ ଦେଶ ଏକାଠି ରହିବା ହିଁ ଅଧିକ ଶ୍ରେୟସ୍କର ।
କାହିଁକି ଏଭଳି ବୟାନ ଦେଲେ ସଂଘ ପ୍ରମୁଖ ?
ସାମ୍ପ୍ରତିକ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କରେ ଶୀତଳତା ଦେଖାଦେଇଛି। ଆତଙ୍କବାଦ ଓ ସୀମାପାର ଅନୁପ୍ରବେଶକୁ ନେଇ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବିଶେଷଜ୍ଞଙ୍କ ମତରେ, RSS ପ୍ରମୁଖଙ୍କ ଏହି ବୟାନର ଅର୍ଥ ଏହା ନୁହେଁ ଯେ ଭାରତ ସନ୍ତ୍ରାସବାଦ ଆଗରେ ନଇଁଯିବ। ଭାରତ ନିଜ ସୁରକ୍ଷା ବ୍ୟବସ୍ଥାକୁ ନେଇ ସଦାସର୍ବଦା ସତର୍କ ଏବଂ କଡ଼ା ଜବାବ ଦେବାକୁ ପ୍ରସ୍ତୁତ। କିନ୍ତୁ ଏକ ଦାୟିତ୍ୱବାନ ଏବଂ ବଡ଼ ଦେଶ ଭାବେ ଭାରତ ଆଲୋଚନା ମାଧ୍ୟମରେ ବିବାଦର ସମାଧାନକୁ ପ୍ରାଥମିକତା ଦିଏ, ଯାହା ଏହି ବୟାନରୁ ସ୍ପଷ୍ଟ ହେଉଛି।