ନୂଆଦିଲ୍ଲୀ: ଫ୍ରାନ୍ସର ଏଭିଆନ୍ ସହରରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ମଞ୍ଚରୁ ପୁଣି ଏକ ରୋମାଞ୍ଚକର ଦୃଶ୍ୟ ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ମଧ୍ୟରେ ସାକ୍ଷାତକାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଦୁଇ ନେତାଙ୍କ ଅନୌପଚାରିକ ଆଲୋଚନାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଠି ପୁଣିଥରେ ସେମାନଙ୍କର ସେହି ପ୍ରସିଦ୍ଧ 'ମେଲୋଡୀ ମୋମେଣ୍ଟ'ର ଝଲକ ଦେଖିବାକୁ ମିଳିଛି।
ଏହି ସାକ୍ଷାତକାର ସମୟରେ ଇଟାଲୀ ପିଏମ ମେଲୋନି ବେଶ୍ ହସଖୁସି ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି, ଆପଣଙ୍କୁ ପୁଣିଥରେ ଭେଟି ବହୁତ ଖୁସି ଲାଗିଲା। ଶେଷରେ ଆମେ ଦୁହେଁ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଜଣାଶୁଣା ଓ ଲୋକପ୍ରିୟ ଯୋଡ଼ି। ମେଲୋନିଙ୍କ ଏହି କଥା ଶୁଣି ପିଏମ ମୋଦୀ ମଧ୍ୟ ନିଜକୁ ହସିବାରୁ ରୋକିପାରିନଥିଲେ।
ସୂଚନାଯୋଗ୍ୟ ଯେ, ନିକଟରେ ପିଏମ ମୋଦୀଙ୍କ ଇଟାଲୀ ଗସ୍ତ ସମୟରେ ଦୁଇ ନେତାଙ୍କ 'ମେଲୋଡୀ ଟଫି' ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିଥିଲା। ମେଲୋନି ନିଜେ ସେୟାର କରିଥିବା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ୧ କୋଟିରୁ ଅଧିକ ଲାଇକ୍ସ ମିଳିସାରିଥିଲା।
'ମେଲୋଡୀ' ଟଫିର ସେହି ମଧୁର ସ୍ମୃତି
ଗତ ମେ ୧୯-୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଅଫିସିଆଲ୍ ଗସ୍ତରେ ଇଟାଲୀ ଯାଇଥିଲେ। ସେହି ସମୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟରେ ଏକ ବିରଳ ଦୃଶ୍ୟ୭ ଦେଖିବାକୁ ମିଳିଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମେଲୋନିଙ୍କୁ 'ମେଲୋଡି' ଟଫି ଉପହାର ସ୍ୱରୂପ ଦେଇଥିଲେ। ମେଲୋନୀ ମଧ୍ୟ ହସି ହସି ଏହାକୁ ତାଙ୍କର ସବୁଠାରୁ ପ୍ରିୟ ଏବଂ ସ୍ପେଶାଲ୍ ଗିଫ୍ଟ ବୋଲି କହିଥିଲେ, ଯାହାକୁ ଇଣ୍ଟରନେଟ୍ରେ ଲୋକେ ଖୁବ୍ ପସନ୍ଦ କରିଥିଲେ।
ବନ୍ଧୁତ୍ୱ ସହ ବ୍ୟବସାୟିକ ସମ୍ପର୍କରେ ସୁଧାର
କେବଳ ସୋସିଆଲ ମିଡିଆ ଭାଇରାଲ୍ ଭିଡିଓ ନୁହେଁ ବରଂ ଭାରତ ଓ ଇଟାଲୀର ସମ୍ପର୍କ ଏବେ ଏକ ନୂଆ ଉଚ୍ଚତାକୁ ଛୁଇଁଛି। ଇଟାଲୀ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ସ୍ୱାସ୍ଥ୍ୟ ସେବା ଭଳି କ୍ଷେତ୍ରରେ ପ୍ରାୟ ୧୫ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ସହିତ ଆଗାମୀ ୨୦ ୨୭ ସୁଦ୍ଧା ଭାରତ-ଇଟାଲୀ 'ସଂସ୍କୃତି ଏବଂ ପର୍ଯ୍ୟଟନ ବର୍ଷ' ଭାବେ ପାଳନ କରିବାକୁ ଉଭୟ ନେତା ନିଷ୍ପତ୍ତି ନେଇଛନ୍ତି।