ଭୁବନେଶ୍ୱର: ସୌମ୍ୟ ମୃତ୍ୟୁ ମାମଲାର ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ହାଇପ୍ରୋଫାଇଲ୍ ମାମଲାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚର ନଜର ରହିଛି ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଉପରେ। ୧୧ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ସଂସ୍ଥାର ଆଶା, ରିମାଣ୍ଡ ସମୟରେ ମାମଲା ସହ ଜଡିତ ଅନେକ ଗୁପ୍ତ ତଥ୍ୟ ସାମ୍ନାକୁ ଆସିପାରେ।
ଅନ୍ୟପଟେ, ମାମଲାରେ ସମ୍ପୃକ୍ତ ଥିବା ଆହୁରି ୫ରୁ ୬ ଜଣ ଅଭିଯୁକ୍ତ ଏବେବି ଫେରାର ରହିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଭାରତ ଦଳେଇ ନାମକ ଜଣେ ଅଭିଯୁକ୍ତ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି।
ଏହାରି ମଧ୍ୟରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରାଯାଇଛି। ଏହି ପଦକ୍ଷେପ ପରେ ରାଜ୍ୟ ରାଜନୀତି ଓ ପ୍ରଶାସନିକ ମହଳରେ ଚର୍ଚ୍ଚା ଜୋର ଧରିଛି। ସୌମ୍ୟଙ୍କ ଉପରେ ମାନସିକ ଓ ଶାରୀରିକ ଚାପ, ଷଡ଼ଯନ୍ତ୍ର ଏବଂ ନିର୍ଯ୍ୟାତନା ଭଳି ଅଭିଯୋଗ ମଧ୍ୟରେ ଆଇପିଏସ୍ ଅଫିସରଙ୍କ ବିରୋଧରେ କାହିଁକି ଆକ୍ସନ ନିଆଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।
ସୂତ୍ର ଅନୁଯାୟୀ, ସୌମ୍ୟ ମାମଲା ସହ ଆଇପିଏସ୍ ଅଧିକାରୀଙ୍କ ସମ୍ଭାବ୍ୟ ଲିଙ୍କ୍ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସରକାରଙ୍କ ହାତରେ ପହଞ୍ଚିବା ପରେ ଏହି କାର୍ଯ୍ୟନୁଷ୍ଠାନ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ସେହି ରିପୋର୍ଟରେ କଣ ରହିଛି ଏବଂ ତଦନ୍ତ ଆଉ କେଉଁ ଦିଗକୁ ମୋଡ଼ ନେବ, ସେଥିପାଇଁ ସମସ୍ତଙ୍କ ନଜର ଏବେ କ୍ରାଇମବ୍ରାଞ୍ଚ ଉପରେ।