ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନିଲମ୍ବିତ ହୋଇଥିବା ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୁଦ୍ଧରେ ସାଙ୍ଘାତିକ ସତ ସାମ୍ନାକୁ ଆସିଛି । କାହିଁକି ତାଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ଗୋପନୀୟ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏହି ଦବଙ୍ଗ ଆଇପିଏସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଡିଜିପିଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ମୃତ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପରିବାର ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ସତ । ଲୋକଙ୍କ ସେବା ପାଇଁ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଏହି ଆଇପିଏସ୍ ବାବୁ ନିଜ ବ୍ୟକ୍ତିଗତ କାମରେ ନିୟୋଜିତ କରିଥିଲେ । ଜଣେ କିମ୍ବା ଦୁଇ ଜଣ ନୁହେଁ ବରଂ ଆଠ ଜଣ କନଷ୍ଟେବଳଙ୍କୁ ନିଜ ଘର କାମରେ ଲଗାଇଥିଲେ । ଖାଲି ସେତିକି ନୁହେଁ ସୌମ୍ୟଙ୍କ ମୃତ୍ୟୁ, ତାଙ୍କ ପରିବାରର ଅଭିଯୋଗ ଏବଂ ରେଳବାଇ ଓ ତଟ ସୁରକ୍ଷା ଏଡିଜି ପଦରୁ ହଟିବା ପରେ ମଧ୍ୟ ସେ ନିଜ ହରକତରୁ ବାଦ ପଡ଼ିନଥିଲେ । ଏହା ପରେ ମଧ୍ୟ ସେ ନିଜର ତଳିଆ କର୍ମଚାରୀଙ୍କୁ ଗୋତି ଖଟାଉଥିଲେ । ଏ ନେଇ ଡିଜିପି ଗୃହ ବିଭାଗକୁ ଏକ ଗୋପନୀୟ ରିପୋର୍ଟ ଦାଖଲ କରିଛନ୍ତି ।
ଡିଜିପିଙ୍କ ରିପୋର୍ଟ ଆଧାରରେ ୧୯୯୮ ବ୍ୟାଚର ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେ ଆଇପିଏସ୍ ସଦସ୍ୟ ଭାବରେ ସର୍ବଭାରତୀୟ ସେବା ଆଇନ ୧୯୬୮ର ଧାରା ୩ (୨ଖ), (୭) ଏବଂ (୧୦)କୁ ସେ ଉଲ୍ଲଘଂନ କରିଛନ୍ତି । ତେଣୁ ତାଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଆଦେଶ ମଧ୍ୟରେ ସେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ରହିବେ । ଡିଜିପିଙ୍କ ବିନା କୌଣସି ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଅତି ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଥିଲା। ଏହା ପରେ ସୌମ୍ୟଙ୍କ ପରିବାର ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଜଣେ ଆଇପିଏସ୍ ଅଧିକାରୀ ସୌମ୍ୟଙ୍କୁ ନିଜ ବ୍ୟକ୍ତିଗତ କାମରେ ନିୟୋଜିତ କରିଥିଲେ । ଏଥିପାଇଁ ସୌମ୍ୟ ବହୁତ ମାନସିକ ଅବସାଦରେ ରହୁଥିବା ସୌମ୍ୟଙ୍କ ମାଆ କହିଥିଲେ ।
ଅଧିକ ପଢ଼ନ୍ତୁ:-ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ, ୭ଟି ସ୍ଥାନରେ ଚଢ଼ଉ ଜାରି