ଭୁବନେଶ୍ୱର/ସମ୍ବଲପୁର: ପବିତ୍ର ଶୀତଳଷଷ୍ଠୀ ଅବସରରେ ଉତ୍ସବମୁଖର ହୋଇଉଠିଛି ଏକାମ୍ରକ୍ଷେତ୍ର ଓ ସମ୍ବଲପୁର ସହର। ଶତାବ୍ଦୀ ପୁରୁଣା ପରମ୍ପରା ଅନୁଯାୟୀ ଧୁମଧାମ ଓ ବୈଦିକ ରୀତିନୀତି ମଧ୍ୟରେ ସମ୍ପନ୍ନ ହୋଇଛି ବାବା ଲିଙ୍ଗରାଜ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ। ବିବାହ ପରେ ଆଜି ନବଦମ୍ପତିଙ୍କ ଯୁଗଳବନ୍ଦୀ ଦର୍ଶନ ପାଇଁ ମନ୍ଦିର ପରିସରରେ ଲାଗିଛି ଭକ୍ତଙ୍କ ଅସମ୍ଭାଳ ଭିଡ଼।
ଗତକାଲି ମଧ୍ୟରାତ୍ର ପ୍ରାୟ ୧୨ଟା ସମୟରେ ବାହାରିଥିଲା ପ୍ରଭୁ ଲିଙ୍ଗରାଜଙ୍କ ଭବ୍ୟ ବରଯାତ୍ରୀ। ଢୋଲ, ମହୁରୀ, ଘଣ୍ଟଘଣ୍ଟା ଓ ହରିବୋଲ ଧ୍ୱନିରେ କମ୍ପି ଉଠିଥିଲା ସମଗ୍ର ପରିବେଶ। ରାତି ୧ଟା ୪୦ ମିନିଟରେ ବରଯାତ୍ରୀ କେଦାରଗୌରୀ ମନ୍ଦିରରେ ପହଞ୍ଚିଥିଲା। ଭୋର ୫ଟା ୨୦ ମିନିଟରେ ହାତଗଣ୍ଠି ପଡ଼ିବା ସହ ଶିବ-ପାର୍ବତୀଙ୍କ ଦିବ୍ୟ ବିବାହ ସମ୍ପନ୍ନ ହୋଇଥିଲା।
ବିବାହ ପରେ ଆଜି ସପ୍ତମୀ ତିଥିରେ ଭକ୍ତମାନଙ୍କୁ ଏକତ୍ର ଦର୍ଶନ ଦେଉଛନ୍ତି ବାବା ଲିଙ୍ଗରାଜ ଓ ମାତା ପାର୍ବତୀ। ଏହି ଦର୍ଶନକୁ ‘ଯୁଗଳବନ୍ଦୀ ଦର୍ଶନ’ ବୋଲି କୁହାଯାଏ। ଲୋକବିଶ୍ୱାସ ରହିଛି, ଏହି ଦିବ୍ୟ ଯୁଗଳଙ୍କୁ ଏକାଠି ଦର୍ଶନ କଲେ ସୌଭାଗ୍ୟ, ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ସେଥିପାଇଁ ସକାଳୁ ସକାଳୁ ହଜାର ହଜାର ଭକ୍ତ ମନ୍ଦିରରେ ପହଞ୍ଚି ଦର୍ଶନ କରୁଛନ୍ତି।
ସେପଟେ ସମ୍ବଲପୁରରେ ମଧ୍ୟ ଶୀତଳଷଷ୍ଠୀର ମହାଉତ୍ସବ ଉଲ୍ଲାସର ସହ ପାଳିତ ହୋଇଛି। ଦେବଦମ୍ପତିଙ୍କ ବିବାହ ପରେ ଆଜି ଦିନ ତମାମ ଶ୍ୱଶୁର ଘରେ ବିଶ୍ରାମ କରିବେ ମହାଦେବ। ଏହାପରେ ବିଳମ୍ବିତ ରାତିରେ ମାତା ପାର୍ବତୀଙ୍କୁ ସାଙ୍ଗରେ ନେଇ ନଗର ପରିକ୍ରମା କରିବେ।
ଦୀର୍ଘ ୨୦ ଘଣ୍ଟା ଧରି ଚାଲିବାକୁ ଥିବା ଏହି ନଗର ପରିକ୍ରମା ଓ ଯୁଗଳ ଦର୍ଶନ ହେଉଛି ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୮୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବଦମ୍ପତିଙ୍କ ଏହି ଦିବ୍ୟ ମିଳନ ଓ ଯୁଗଳ ଦର୍ଶନକୁ ନେଇ ସମଗ୍ର ଓଡ଼ିଶାରେ ଭକ୍ତି ଓ ଉତ୍ସବର ମାହୋଲ ସୃଷ୍ଟି ହୋଇଛି।