ଭୁବନେଶ୍ୱର: ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର। ଏପ୍ରିଲ ଓ ମେ ମାସର ଭତ୍ତା ରାଶି ଏକାଥରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା ହୋଇଛି। ଏହା ସହିତ ଜୁନ୍ ମାସର ଭତ୍ତା ବଣ୍ଟନ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ସରକାରଙ୍କ ସୂଚନା ଅନୁସାରେ, ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଭତ୍ତା ହିତାଧିକାରୀଙ୍କୁ ଦୁଇ ମାସର ଭତ୍ତା ଏକାସାଙ୍ଗରେ ପ୍ରଦାନ କରାଯାଇଛି। ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୯୧.୫ ପ୍ରତିଶତ ଲୋକଙ୍କ ଖାତାକୁ ଟଙ୍କା ପହଞ୍ଚି ସାରିଛି।
ଏହି ପଦକ୍ଷେପ ଫଳରେ ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଓ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭାର୍ଥୀମାନେ ବହୁତ ଉପକୃତ ହୋଇଛନ୍ତି। ଏକାଥରେ ଦୁଇ ମାସର ଭତ୍ତା ପାଇ ସେମାନେ ଦୈନନ୍ଦିନ ଖର୍ଚ୍ଚ ଓ ଆବଶ୍ୟକ କାମ ସହଜରେ ପୂରଣ କରିପାରିବେ।
ତେବେ କିଛି ହିତାଧିକାରୀଙ୍କ ଖାତାକୁ ଏପର୍ଯ୍ୟନ୍ତ ଭତ୍ତା ରାଶି ପହଞ୍ଚିନାହିଁ। ବ୍ୟାଙ୍କିଙ୍ଗ ଓ ବୈଷୟିକ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେପଟେ ଜୁନ୍ ମାସର ଭତ୍ତା ବଣ୍ଟନ କାର୍ଯ୍ୟ ମଧ୍ୟ ଚାଲିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାରେ ଭତ୍ତା ରାଶି ପହଞ୍ଚାଇବାକୁ ସରକାର ପଦକ୍ଷେପ ନେଉଥିବା କଥା ସେ ସ୍ପଷ୍ଟ କରିଛନ୍ତି। ଏହି ଘୋଷଣା ଭତ୍ତା ଉପରେ ନିର୍ଭର କରୁଥିବା ଲକ୍ଷାଧିକ ପରିବାରଙ୍କ ମୁହଁରେ ହସ ଫୁଟାଇଛି।