ରାୟଗଡ଼ା: ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ କରିବା ବିଧାୟକଙ୍କ ଗାଡ଼ି ଚାଳକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ଲକ୍ଷ୍ମୀପୁର କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ଡ୍ରାଇଭର ଗିରଫ ହୋଇଛି । ସେ ହେଲେ ବିକାଶ ବାଗ୍ । ରାୟଗଡ଼ା ଜିଆରପି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପ୍ରାଥମିକ ସୂଚନା ଆଧାରରେ, ଶନିବାର ରାତିରେ ହୀରାଖଣ୍ଡ ଏକ୍ସପ୍ରେସରେ ଜଣେ ଆରପିଏଫ୍ ଗୁଇନ୍ଦା ଅଧିକାରୀଙ୍କ ପରିବାର ଯାତ୍ରା କରୁଥିଲେ । ସେହି ରେଳ ବଗିରେ ଥିବା ବିକାଶ ବାଗ ତାଙ୍କ ନାବାଳିକା ଝିଅକୁ ଅସଦାଚରଣ କରିଥିଲେ । ନାବାଳିକାର ମାଆ ବିରୋଧ କରିବାରୁ ଯୁକ୍ତିତର୍କ ମଧ୍ୟ କରିଥିଲେ । ଏ ନେଇ ଆରପିଏଫ୍ ଗୁଇନ୍ଦା କର୍ମଚାରୀ ତଥା ନାବାଳିକାଙ୍କ ବାପା ରାୟଗଡ଼ା ଜିଆରପି ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ବିକାଶଙ୍କୁ ଗିରଫ କରାଯାଇଛି । ଏ ନେଇ ଥାନାରେ ପକ୍ସୋ ଆଇନ୍ ଧାରା ୨୯୬ ଓ ୭୫ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ୭୯ରେ ଏକ ମାମଲା ରୁଜୁ ହେବା ପରେ ଅଭିଯୁକ୍ତକୁ ଡାକ୍ତରୀମାଇନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯିବ ।
ତେବେ ଡ୍ରାଇଭରଙ୍କ ସହିତ ବିଧାୟକଙ୍କ ପିଏସଓ ଉପସ୍ଥିତ ଥିବାବେଳେ ତାଙ୍କର ଏଥିରେ କୌଣସି ସମ୍ପୃକ୍ତି ନ ଥିବା ଜଣାପଡ଼ିଛି । ତେବେ ବିଧାୟକ ପବିତ୍ର ସାଉଁଟା ସେହି ଟ୍ରେନରେ ଅନ୍ୟ ଏକ ବଗିରେ ଯାତ୍ରା କରୁଥିବା ଜଣାପଡ଼ିଛି । ତେବେ ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।