ଚେନ୍ନାଇ: ତାମିଲନାଡ଼ୁର ତିରୁଭଲ୍ଲୁର ଜିଲ୍ଲା ଅନ୍ତର୍ଗତ ପେରିୟାପାଲାୟମରେ ଥିବା ସି-ଫୁଡ୍ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଏଯାବତ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେପେଟେ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ସରକାରଙ୍କ ତିନି ଜଣିଆ ଟିମ୍ ଚେନ୍ନାଇ ପହଁଚିଛନ୍ତି ।
ଶ୍ରମ ଏବଂ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲାଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ସେଠାକୁ ଯାଇଛନ୍ତି । ଶ୍ରମ ସଚିବଙ୍କ ସୂଚନା ଆଧାରରେ ଗତକାଲି ରାତିରେ ଜଣେ ମୃତ ଶ୍ରମିକଙ୍କ ମୃତଦେହ ଚେନ୍ନାଇକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଆଜି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବାର କାର୍ୟ୍ୟକ୍ରମ ରହିଛି। ଅନ୍ୟ ଜଣଙ୍କ ମୃତ ଶ୍ରମିକଙ୍କ ମୃତଦେହ ମଧ୍ୟ ବର୍ତ୍ତମାନ ତିରୁଭଲ୍ଲୁରରେ ଅଛି।
ସେହିପରି ଟିମର ଅନ୍ୟ ସଦସ୍ୟ ଏମ୍.ଏମ୍. ପାଇକ ପୋଷ୍ଟମର୍ଟମ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ୟ୍ୟ ସମ୍ପର୍କରେ ଯୁଗ୍ମ ଶ୍ରମ କମିଶନର ଏବଂ ସରକାରୀ ମେଡିକାଲ୍ କଲେଜ ହସ୍ପିଟାଲର ଅଧିକାରୀଙ୍କ ସହିତ ଅଧିକ ଆଲୋଚନା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ଚେନ୍ନାଇରେ ଉପସ୍ଥିତ ରହିବ । ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲା ଏବଂ ବି.ବି. ଆଚାର୍ୟ୍ୟ ଚେନ୍ନାଇ ପହଞ୍ଚିବା ପରେ ଘଟଣାସ୍ଥଳ ତିରୁଭଲ୍ଲୁର ଯିବେ । ସେଠାରେ ଚିକିତ୍ସିତ ହେଉଥିବା ଅନ୍ୟ ଆହତ ଶ୍ରମିକମାନଙ୍କୁ ଭେଟିବେ । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି ।
ପ୍ରାୟ ୧୩୦ ଜଣ ଶ୍ରମିକଙ୍କୁ ନିକଟସ୍ଥ ମଣ୍ଡପ ହଲରେ ରଖାଯାଇଛି। ସେମାନଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ଶ୍ରମ ବିଭାଗ ନିରନ୍ତର ତାମିଲନାଡ଼ୁ ପ୍ରଶାସନ ସହିତ ଯୋଗାଯୋଗ ରହିଥିବା ସୂଚନା ଦିଆଯାଇଛି ।
ଉଲ୍ଲେଖ ଯୋଗ୍ୟ, ଗତକାଲି ହୋଇଥିବା ଗ୍ୟାସ୍ ଲିକ୍ ଅଘଟଣାରେ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିରେ ଦୁଇ ଜଣ ଓଡ଼ିଆ ମହିଳା ଶ୍ରମିକ ରହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିବା ସହିତ ଓଡ଼ିଶା ସରକାର ତାମିଲନାଡ଼ୁ ସରକାର ସହିତ ନିରନ୍ତର ସମନ୍ୱୟ ରଖୁଥିବା କହିଛନ୍ତି ।