ଭୁବନେଶ୍ବର: ତାମିଲନାଡୁର ତିରୁଭାଲୁର ଜିଲ୍ଲାର ପେରିୟାପାଲାୟମ୍ ନିକଟରେ ଥିବା ଏକ ସାମୁଦ୍ରିକ ଖାଦ୍ୟ (ସି-ଫୁଡ୍) ପ୍ରକ୍ରିୟାକରଣ କାରଖାନାରେ ରବିବାର ଦିନ ଆମୋନିଆ ଗ୍ୟାସ୍ ଲିକ୍ ନିର୍ଗତ ଯୋଗୁଁ ୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ମହିଳା ଶ୍ରମିକ ଅଛନ୍ତି। ଏହି ଅଭାବନୀୟ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୋହନ ମାଝୀ ଲେଖିଛନ୍ତି, ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତ ଓଡ଼ିଆ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରଭାବିତ ଶ୍ରମିକମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି। ସେଠାରେ ତୁରନ୍ତ ସମନ୍ୱୟ ରକ୍ଷା କରିବା ସହ ଆମ ଶ୍ରମିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ଆମ ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁର ଅଭିମୁଖେ ଯାତ୍ରା କରୁଛନ୍ତି।
ଏହି ଅଭାବନୀୟ ଘଟଣା ସଂପର୍କରେ ଓଡ଼ିଶା ସରକାର ଅବଗତ ହୋଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସହିତ କଥା ହୋଇଛନ୍ତି। ଏହା ପରେ ଓଡ଼ିଶାର ୩ଜଣ ଅଧିକାରୀଙ୍କୁ ତାମିଲନାଡୁ ପଠାଇଛନ୍ତି। ଏହି ଅଧିକାରୀମାନେ ଓଡ଼ିଶାର ଆହତମାନଙ୍କୁ ଭେଟିବେ। ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରିବେ।
ସୂଚନାଯୋଗ୍ୟ, ଗ୍ୟାସ ଲିକ୍ କାରଣରୁ ଚିଙ୍ଗୁଡ଼ି କାରଖାନାରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଥିବା ସୂଚନା ମିଳିଛି। ମୃତକମାନେ ହେଲେ ଜୁମଣି ଜୁଆଙ୍ଗ ଏବଂ ମାଳତୀ। ୬୦ରୁ ଅଧିକ ଶ୍ରମିକମାନଙ୍କର ଚିକିତ୍ସା ଜାରି ରହିଛି।
ଅଧିକ ପଢ଼ନ୍ତୁ: ଉତ୍ତର ପ୍ରଦେଶ ସମେତ ୮ଟି ରାଜ୍ୟକୁ କେବେ ମିଳିବ ଆଶ୍ୱସ୍ତି?