ନୂଆଦିଲ୍ଲୀ: ଉତ୍ତର ଭାରତର ସମସ୍ତ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଭାରତ ପାଣିପାଗ ବିଭାଗ ଗୁରୁବାର ଦିନ ଦେଶର ଅନେକ ସ୍ଥାନରେ ଆଗାମୀ କିଛି ଦିନ ପାଇଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ଗତକାଲି ରାତିରୁ ବର୍ଷା ହେଉଛି। ମୁମ୍ବାଇରେ ବର୍ଷା ତାଣ୍ଡବ ରଚିଛି।
ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଉତ୍ତର-ପଶ୍ଚିମ, ମଧ୍ୟ, ପଶ୍ଚିମ ତଟ ଏବଂ ଉତ୍ତର-ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆଇଏମଡି ବଙ୍ଗଳାର ଉପ-ହିମାଳାୟ ଅଞ୍ଚଳ, ସିକିମ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକ ଉପକୂଳ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନର କିଛି ଅଂଶରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି।
ଦିଲ୍ଲୀ, ହରିୟାଣା, ବିହାର, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ଏବଂ କେରଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗ କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା, ଝଡ଼ ଏବଂ ଘଣ୍ଟା ପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଚେତାବନୀ ଦେଇଛି।
ମହାରାଷ୍ଟ୍ରରେ ରେଳ ଏବଂ ସଡ଼କ ପରିବହନ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ନିରନ୍ତର ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଛି, ଯାହା ଫଳରେ ଅନେକ ସ୍ଥାନରେ ଜଳବନ୍ଦୀ ଏବଂ ଭୂସ୍ଖଳନ ହୋଇଛି। ନାସିକରେ ଗୋଦାବରୀ ନଦୀ ଉଛୁଳି ପଡ଼ିଛି। ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି, ଅନେକ ଅଞ୍ଚଳରେ ବନ୍ୟା ଆସିଛି। ପାଲଘରର ଭାସାଇ-ବିରାର ଅଞ୍ଚଳରେ ଜଳବନ୍ଦୀ ଯୋଗୁଁ ଗୁଜରାଟକୁ ଦୂରଗାମୀ ଟ୍ରେନ୍ ମଧ୍ୟ ପ୍ରଭାବିତ ହୋଇଛି।
କୋଙ୍କଣ, ମଧ୍ୟ ମହାରାଷ୍ଟ୍ର ଏବଂ ଦକ୍ଷିଣ କର୍ଣ୍ଣାଟକରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଛି, ଯେଉଁଥିରେ ୨୧ ସେଣ୍ଟିମିଟର କିମ୍ବା ତା'ଠାରୁ ଅଧିକ ବର୍ଷା ହୋଇଛି। ଏହି ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା, ଝଡ଼ ଏବଂ ବଜ୍ରପାତ ହୋଇଥିଲା। ମରଠୱାଡା, ସୌରାଷ୍ଟ୍ର ଏବଂ କଚ୍ଛ, ମଧ୍ୟପ୍ରଦେଶ, ପଶ୍ଚିମ ଉତ୍ତର ପ୍ରଦେଶ, ଉପକୂଳ କର୍ଣ୍ଣାଟକ, ବିହାର, ମେଘାଳୟ ଏବଂ ତ୍ରିପୁରାରେ ଗତ ୨୪ ଘଣ୍ଟା ମଧ୍ୟରେ ବହୁତ ପ୍ରବଳ ବର୍ଷା ହୋଇଛି। ଏହି ଅଞ୍ଚଳଗୁଡ଼ିକରେ ୧୨ରୁ ୨୦ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ପୂର୍ବ ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ତାମିଲନାଡୁ, ପୁଡୁଚେରୀ, କରିକାଲ, କେରଳ, ମାହେ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଉପହିମାଳାୟ ପଶ୍ଚିମବଙ୍ଗ ଏବଂ ସିକିମରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିବା ପରିଲକ୍ଷିତ ହୋଇଛି।
ଅଧିକ ପଢ଼ନ୍ତୁ: ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ