କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଦୁନିଆରେ ଏକ ବଡ଼ ବ୍ରାଣ୍ଡ ଭାବରେ ପରିଚିତ ହୋଇସାରିଛନ୍ତି । ଯିଏ ଦେଖୁଛି ସିଏ ବୈଭବଙ୍କ ପ୍ରଶଂସା କରୁଛି ଏବଂ ସମସ୍ତଙ୍କ ମୁହଁରେ କେବଳ ତାଙ୍କରି ନାଁ । ଏବେ ସେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଶେଖର କପୁରଙ୍କ ନଜରକୁ ମଧ୍ୟ ଆସିଛନ୍ତି । ଶେଖର କପୁର ବୈଭବଙ୍କର ପ୍ରଶଂସା କରିବା ସହ ତାଙ୍କୁ ନିଜ ଫିଲ୍ମରେ କାଷ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।
କ୍ରିକେଟ ସେନସେସନ ବୈଭବଙ୍କ ପ୍ରଶଂସାରେ ଶେଖର କପୁର
ବର୍ତ୍ତମାନ ସମୟରେ ଚାରିଆଡ଼େ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚର୍ଚ୍ଚା ଚାଲିଛି । ସେ ମାତ୍ର ୧୫ ବର୍ଷ ବୟସରେ ଏଭଳି ଅନେକ ରେକର୍ଡ କରିଛନ୍ତି ଯାହାକୁ ବିଶ୍ୱାସ କରିବା କାହାରି ପାଇଁ ବି ସହଜ ନୁହେଁ । ଏହି ଅଳ୍ପ ବୟସରେ ବଡ଼ ବଡ଼ ସଫଳତା ହାସଲ କରିଥିବା ବୈଭବ ଏବେ ମନୋରଞ୍ଜନ ଦୁନିଆର ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି ।
ବିଶିଷ୍ଟ ଫିଲ୍ମ ନିର୍ମାତା ଶେଖର କପୁର ତାଙ୍କ ପ୍ରଶଂସାରେ କହିଛନ୍ତି ଯେ, ଯଦି ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ କ୍ରିକେଟ ଜଗତର ଏତେ ବଡ଼ ସେନସେସନ ହୋଇନଥାନ୍ତେ, ତେବେ ସେ ତାଙ୍କୁ ନିଜର ଆଗାମୀ ଫିଲ୍ମ 'ମାସୁମ୍'ରେ କାମ କରିବା ପାଇଁ ଅଫର୍ ଦେଇଥାନ୍ତେ ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ବୈଭବ ଅତି କମ୍ ବୟସରେ ଅସାଧାରଣ ବ୍ୟାଟିଂ ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିଛନ୍ତି । ତେବେ ଏବେ ସେ ବହୁତ ସାନ ଏବଂ ତାଙ୍କୁ ଏକ ଲମ୍ବା ସଫର ଅତିକ୍ରମ କରିବାକୁ ହେବ । ସମସ୍ତେ ତାଙ୍କ ସରଳତା ଉପରେ ମୁଗ୍ଧ ଏବଂ ବଲିଉଡର ଅନେକ ଦିଗ୍ଗଜଙ୍କୁ ମିଶାଇ ସୋସିଆଲ ମିଡିଆରେ ତାଙ୍କର ଏକ ବଡ଼ ଫ୍ୟାନ୍ ଫଲୋଇଙ୍ଗ୍ ବେସ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି ।
କେବେ ଆରମ୍ଭ ହେବ ‘ମାସୁମ୍ ୨’ର ସୁଟିଂ?
ସୂଚନାଯୋଗ୍ୟ ଯେ, ମୂଳ ଫିଲ୍ମ 'ମାସୁମ୍' ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଅଭିନେତା ଜୁଗଲ ହଂସରାଜ ମୁଖ୍ୟ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ ଫିଲ୍ମରେ ନସୀରୁଦ୍ଦିନ ଶାହା, ଶବାନା ଆଜମୀ ଏବଂ ଉର୍ମିଲା ମାତୋଣ୍ଡକର ମଧ୍ୟ ଥିଲେ ।
ଏବେ ଶେଖର କପୁର ଏହି ଫିଲ୍ମର ସିକ୍ୱେଲ୍ ଉପରେ କାମ ଆରମ୍ଭ କରିଦେଇଛନ୍ତି । ଏହି ନୂଆ ଫିଲ୍ମର କାଷ୍ଟରେ ନସୀରୁଦ୍ଦିନ ଶାହା ଏବଂ ଶବାନା ଆଜମୀଙ୍କ ସହ ଏଥର ମନୋଜ ବାଜପେୟୀଙ୍କର ମଧ୍ୟ ଏଣ୍ଟ୍ରି ହେବାକୁ ଯାଉଛି । ବର୍ତ୍ତମାନ ଫିଲ୍ମର ପ୍ରିପ୍ରଡକସନ୍ କାର୍ଯ୍ୟ ଚାଲିଛି ଏବଂ ଖୁବ୍ ଶୀଘ୍ର ଏହି ସିନେମାର ସୁଟିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
ପ୍ରାୟ ୪୩ ବର୍ଷ ପୂର୍ବେ ଯେତେବେଳେ ଏହି ଫିଲ୍ମ ଆସିଥିଲା, ସେତେବେଳେ ଏହା ବକ୍ସ ଅଫିସରେ ଜବରଦସ୍ତ ସଫଳତା ପାଇ ସୁପରହିଟ୍ ହୋଇଥିଲା । ଏହି ନୂଆ ପ୍ରୋଜେକ୍ଟ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍. ରେହମାନ ମଧ୍ୟ ସାମିଲ ହୋଇଛନ୍ତି, ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।