ବିଆର୍ ଚୋପ୍ରାଙ୍କ କଲ୍ଟ ଏବଂ ଆଇକନିକ୍ ସିରିଏଲ୍ ‘ମହାଭାରତ’କୁ ଦର୍ଶକେ ଆଜି ବି ଭୁଲିନାହାନ୍ତି। ଏହି ସିରିଏଲ୍ରେ ପାଞ୍ଚ ପାଣ୍ଡବଙ୍କ ମଧ୍ୟରେ ସବୁଠାରୁ ବଡ଼ ଏବଂ ସତ୍ୟର ମାର୍ଗରେ ଚାଲୁଥିବା ‘ଧର୍ମରାଜ ଯୁଧିଷ୍ଠିର’ଙ୍କ ଚରିତ୍ରକୁ ନିଜର ଶାନ୍ତ ସ୍ୱଭାବ, ଗମ୍ଭୀର ସ୍ୱର ଏବଂ ଚେହେରାର ସ୍ଥିରତା ଦ୍ୱାରା ଜୀବନ୍ତ କରିଥିଲେ ଦିଗ୍ଗଜ ଅଭିନେତା ଗଜେନ୍ଦ୍ର ଚୌହାନ। ଆଜି ବି ଲୋକେ ତାଙ୍କୁ ଅସଲ ନାମ ଅପେକ୍ଷା ‘ଯୁଧିଷ୍ଠିର’ ବୋଲି ଅଧିକ ଜାଣନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଅଜଣା କଥା ଏବଂ ସେ ଏବେ କେଉଁଠି ଓ କେଉଁ ଅବସ୍ଥାରେ ଅଛନ୍ତି।
ଅଭିନୟ ପୂର୍ବରୁ ମେଡିକାଲ୍ ଫିଲ୍ଡରେ ଥିଲେ ଗଜେନ୍ଦ୍ର:
୧୦ ଅକ୍ଟୋବର ୧୯୫୬ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଗଜେନ୍ଦ୍ର ଚୌହାନ ଅଭିନୟ ଜଗତରେ ପାଦ ଥାପିବା ପୂର୍ବରୁ ମେଡିକାଲ୍ ଲାଇନ୍ ସହ ଜଡ଼ିତ ଥିଲେ। ସେ ଦିଲ୍ଲୀର ପ୍ରତିଷ୍ଠିତ ଏମ୍ସ (AIIMS) ହସ୍ପିଟାଲ୍ରୁ ରେଡିଓଗ୍ରାଫିରେ ଡିପ୍ଲୋମା କରିଛନ୍ତି, ଅର୍ଥାତ୍ ସେ ଜଣେ କ୍ୱାଲିଫାଇଡ୍ ରେଡିଓଗ୍ରାଫର୍ ଥିଲେ। କିନ୍ତୁ ଅଭିନୟ ପ୍ରତି ଦୁର୍ବଳତା ଯୋଗୁଁ ସେ ରୋଶନ ତନେଜାଙ୍କ ଆକ୍ଟିଂ ସ୍କୁଲ୍ରୁ ଅଭିନୟ ଶିଖିଥିଲେ ଏବଂ ୧୯୮୫ରେ ‘ମୈ ଚୁପ୍ ନହୀଁ ବୈଠୁଙ୍ଗା’ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ।
କାହିଁକି ମିଳିଲାନି ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ର?
ଯେତେବେଳେ ବିଆର୍ ଚୋପ୍ରା ‘ମହାଭାରତ’ ପାଇଁ କାଷ୍ଟିଂ କରୁଥିଲେ, ସେତେବେଳେ ଗଜେନ୍ଦ୍ର ଚୌହାନଙ୍କୁ ଯୁଧିଷ୍ଠିର ନୁହେଁ ବରଂ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ୍ୟ ଚରିତ୍ର ପାଇଁ ସର୍ଟଲିଷ୍ଟ କରାଯାଇଥିଲା। ସବୁକିଛି ଫାଇନାଲ୍ ହୋଇସାରିଥିଲା, କିନ୍ତୁ ଶୋ’ର ସୁଟିଂ ଆରମ୍ଭ ହେବାରେ କିଛି ଦିନ ବିଳମ୍ବ ହୋଇଥିଲା।
ଏହି ସମୟ ମଧ୍ୟରେ ଗଜେନ୍ଦ୍ର ଚୌହାନଙ୍କ ଓଜନ ବହୁତ ବଢ଼ିଯାଇଥିଲା। ଯେତେବେଳେ ସେ ପୁଣି ସେଟ୍କୁ ଫେରିଲେ, ମେକର୍ସଙ୍କୁ ଲାଗିଲା ଯେ ବଢ଼ିଥିବା ଓଜନ ସହ ସେ ଶ୍ରୀକୃଷ୍ଣଙ୍କ ରୂପରେ ଫିଟ୍ ବସୁନାହାନ୍ତି। ଏହାପରେ ଶ୍ରୀକୃଷ୍ଣଙ୍କ ସେହି ଐତିହାସିକ ରୋଲ୍ ନିତୀଶ ଭାରଦ୍ୱାଜଙ୍କୁ ମିଳିଥିଲା ଏବଂ ଗଜେନ୍ଦ୍ରଙ୍କୁ ଧର୍ମରାଜ ଯୁଧିଷ୍ଠିରଙ୍କ ଅଫର୍ ଦିଆଯାଇଥିଲା, ଯାହା ତାଙ୍କ କ୍ୟାରିଅର୍ର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା।
ପ୍ରଶିଦ୍ଧ କୋରିଓଗ୍ରାଫରଙ୍କୁ କରିଛନ୍ତି ବିବାହ:
ଗଜେନ୍ଦ୍ର ଚୌହାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ଜଣାଶୁଣା କୋରିଓଗ୍ରାଫର୍ ତଥା ଡବିଂ ଆର୍ଟିଷ୍ଟ ହବିବା ରହମାନଙ୍କୁ ବିବାହ କରିଛନ୍ତି। ତାଙ୍କ ପୁଅଙ୍କ ନାମ ଶମଶେର ସିଂହ ଚୌହାନ ଏବଂ ତାଙ୍କ ବୋହୂ ଅଙ୍କିତା ସୂଦ୍ ଚୌହାନ ମୁମ୍ବାଇରେ ଜଣେ ପ୍ରଫେସନାଲ୍ ଡାକ୍ତର ଅଟନ୍ତି।
ଏବେ କେଉଁଠି ଅଛନ୍ତି ଏବଂ କ’ଣ କରୁଛନ୍ତି ‘ଯୁଧିଷ୍ଠିର’?
‘ମହାଭାରତ’ ସିରିଏଲ୍ର ପ୍ରାୟ ୩୬ ବର୍ଷ ପରେ ଆଜି ମଧ୍ୟ ଗଜେନ୍ଦ୍ର ଚୌହାନ ଫିଲ୍ମ ଇଣ୍ଡଷ୍ଟ୍ରି ସହ ସାମାଜିକ ଓ ରାଜନୈତିକ ଜୀବନରେ ବେଶ୍ ସକ୍ରିୟ ଅଛନ୍ତି। ସେ ୨୦୦୪ ମସିହାରୁ ରାଜନୀତିରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି।
ଏହା ବ୍ୟତୀତ ସେ ଦେଶର ସବୁଠାରୁ ପ୍ରତିଷ୍ଠିତ ସଂସ୍ଥାନ FTII (ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ) ର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ଏବଂ ରୋହତକର ‘ପଣ୍ଡିତ ଲଖମୀ ଚନ୍ଦ ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ପରଫର୍ମିଂ ଆଣ୍ଡ ଭିଜୁଆଲ୍ ଆର୍ଟ୍ସ’ର ଭାଇସ୍-ଚାନ୍ସେଲର୍ (VC) ପଦବୀ ମଧ୍ୟ ସମ୍ଭାଳିଛନ୍ତି। ନିକଟରେ ପ୍ରୟାଗରାଜରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ସେ ତାଙ୍କ ଅନ୍-ସ୍କ୍ରିନ୍ ଭାଇ ‘ଦୁର୍ଯ୍ୟୋଧନ’ (ପୁନୀତ ଇସର) ଙ୍କ ସହ ନଜର ଆସିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।