ମୁମ୍ବାଇ: ନାଗିନ୍ ଫ୍ରେମ୍ ତଥା ଅଭିନେତ୍ରୀ ମୌନୀ ରୟ ଏବଂ ବ୍ୟବସାୟୀ ସୂରଜ ନାମ୍ବିଆରଙ୍କ ବିବାହ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମୌନୀ ଓ ସୂରଜ ଉଭୟ ସୋସିଆଲ୍ ମିଡ଼ିଆରେ ବିବାହ ବିଚ୍ଛେଦର ଖବର ଦେଇଛନ୍ତି ।
ମୌନୀ ଜଣେ ଲୋକ ପ୍ରିୟ ଅଭିନେତ୍ରୀ । ଉଭୟ ଛୋଟ ପରଦା ଏବଂ ବଡ଼ ପରଦାରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । କଲର୍ସ ଟିଭିରେ ପ୍ରସାରିତ ‘ନାଗିନ୍’ ଧାରାବାହିକ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଏହି ଠାରୁ ସେ ବଲିଉଡରେ ପାଦ ଥାପି ଥିଲେ । ସେହିପରି ସୂରଜ ନାମ୍ବିଆର ଜଣେ ବ୍ୟବସାୟୀ । ସେ ଦୀର୍ଘ ବର୍ଷ ଧରି ଦୁବାଇରେ ରହିଆସୁଥିଲେ । ୨୦୧୮ ମସିହାରେ ମୌନି ରୟ ଏବଂ ସୂରଜ ନାମ୍ବିଆର ପ୍ରଥମ ଥର ପାଇଁ ଦୁବାଇରେ ଏକ ନୂତନ ବର୍ଷ ପାଳନ ସମୟରେ ଦେଖା ହୋଇଥିଲେ। ଏହି ଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ସ୍ଥାପନ ହୋଇଥିଲା ।
ମୌନି ପ୍ରାୟତଃ ଦୁବାଇ ଯାତ୍ରା କରୁଥିବାରୁ, ଦୁହେଁ ଏକାଠି ଅଧିକ ସମୟ ବିତାଇବା ଆରମ୍ଭ କଲେ ଏବଂ ଧୀରେ ଧୀରେ ଏକ ଘନିଷ୍ଠ ବନ୍ଧୁତା ଗଢ଼ି ଉଠିଲା, ଯାହା ଶେଷରେ ଏକ ପ୍ରେମ ସମ୍ପର୍କରେ ପରିଣତ ହେଲା। କିଛି ବର୍ଷ ଡେଟିଂ କରିବା ପରେ, COVID-19 ଲକଡାଉନ୍ ଅବଧି ସମୟରେ ସେମାନଙ୍କର ସମ୍ପର୍କ ଆହୁରି ଗଭୀର ହୋଇଥିଲା।
ଶେଷରେ ଏହି ଦମ୍ପତି ଜାନୁଆରୀ ୨୭, ୨୦୨୨ରେ ଗୋଆରେ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ଭବ୍ୟ ସମାରୋହରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନଙ୍କ ବିବାହ ବଙ୍ଗାଳୀ ଏବଂ ମାଲାୟାଲୀ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା ।