ହାଇଦ୍ରାବାଦ: ତେଲୁଗୁ ସିନେମା ଦୁନିଆକୁ ଏକ ବଡ଼ ଝଟକା ଲାଗିଛି । ଦୁର୍ଘଟଣାରେ ଦୁଇ ଦୁଇ ଜଣ କଳାକାରଙ୍କୁ ହରାଇଛି ତେଲୁଗୁ ସିନେମା ଇଣ୍ଡଷ୍ଟ୍ରୀ । ଜଣାଶୁଣା ଅଭିନେତା ତଥା ଡିଜିଟାଲ କଣ୍ଟେଣ୍ଟ୍ କ୍ରିଏଟର୍ କେ. ଭରତ କାନ୍ତ ଏବଂ ସିନେମାଟୋଗ୍ରାଫର୍ ସାଇ ତ୍ରିଲୋକନାଥଙ୍କର ମୃତ୍ୟୁ ହୋଇଛି । ଉଭୟଙ୍କ ବୟସ ମାତ୍ର ୩୧ ବର୍ଷ ବୟସ ହେବ ବୋଲି ଜଣାପଡ଼ିଛି ।
ପୋଲିସର ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ଭରତ ଓ ସାଇ ତ୍ରିଲୋକ ନେଲଲୋରରୁ ହାଇଦ୍ରାବାଦ ଅଭିମୁଖେ ଫେରୁଥିଲେ । ହାଇଦ୍ରାବାଦର ଆଦିବାଟଲାର ରିଙ୍ଗ୍ ରୋଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଗାଡ଼ିରେ ଥିବା ଭରତ କାନ୍ତ ନିଜେ ଗାଡ଼ି ଚଳାଉଥିଲେ । କାରଟି ନିୟନ୍ତ୍ରଣ ହରାଇ ଏକ କଣ୍ଟେନରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଶକ୍ତ ଥିଲା ଯେ କଣ୍ଟେନର ଗୋଟିଏ ଚକା ବାହାରି ପଳାଇ ଯାଇଥିଲା । ଫଳରେ କାରଥିବେ ଭରତ କାନ୍ତ ଏବଂ ସାଇ ତ୍ରିଲୋକଙ୍କର ମୃତ୍ୟୁ ହୋଇଛି । ଗାଡ଼ି ଚଳାଇ ଅଧିକ ଥକି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି ।
ଭରତ କାନ୍ତଙ୍କ ଦୁଃଖଦ ବିୟୋଗରେ ସାରା ତେଲୁଗୁ ସିନେମା ଜଗତକୁ ଏକ ବଡ଼ କ୍ଷତି ହୋଇଛି । ସେ ଏକାଧାରରେ ଜଣେ ଉଦୀୟମାନ ଅଭିନେତା, ନୃତ୍ୟ ଶିଳ୍ପୀ ଏବଂ କଣ୍ଟେଣ୍ଟ୍ କ୍ରିଏଟର୍ ଥିଲେ । 'ଗ୍ରାମମ୍' ଏବଂ 'ଟେନାଣ୍ଟ' ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେହିପରି ସାଇ ତ୍ରିଲୋକ ମଧ୍ୟ ଜଣେ ଭଲ ସିନେମାଟୋଗ୍ରାଫର୍ ଥିଲେ । ଏହି ଦୁଇ ଜଣଙ୍କ ନିଧନରେ ଅନେକ ସିନେ କଳାକାର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।