ଓଟିଟିରେ ରିଲିଜ ହୋଇଥିବା ଲୋକପ୍ରିୟ ୱେବ ସିରିଜ ମଧ୍ୟରୁ ଗୁଲକ ଅନ୍ୟତମ । ଏକ ମଧ୍ୟବିତ୍ତ ପରିବାରର ଛୋଟ ଛୋଟ ଖୁସି, ଥଟା ମଜା ଓ ସଂଘର୍ଷ ଉପରେ ନିର୍ମିତ ଏହି ସିରିଜ ସିଜିନ ୧ ରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଚାରୋଟି ସିଜିନ ଆସି ସାରିଛି ଓ ଚାରୋଟି ସିଜିନ ସୁପରହିଟ ହୋଇଛି । ଖୁବ ଶୀଘ୍ର ସୋନି ଲିଭ୍ ଓଟିଟିରେ ରିଲିଜ ହେବାକୁ ଯାଉଛି ଲୋକପ୍ରିୟ ୱେବ ସିରିଜ ଗୁଲକ ସିଜିନ ୫ । ଏହାର ଏକ ଟିଜର ଗତ ୮ ମଇ ୨୦୨୬ ରେ ୟୁଟ୍ୟୁବରେ ରିଲିଜ ହୋଇଛି ।
ଗୁଲକର ପ୍ରଥମ ସିଜିନ ୨୦୧୯ ରେ ରିଲିଜ ହୋଇଥିଲା । ଏହା ପରେ ସିନେପ୍ରେମୀ ଏହି ସିରିଜକୁ ଖୁବ ଭଲପାଇବା ଦେଇଥିଲେ । ପ୍ରଥମ ସିରିଜର ସଫଳତା ପରେ ୨୦୨୧ ରେ ଦ୍ଵିତୀୟ ସିଜିନ ଆସିଥିଲା ଓ ୨୦୨୨ ରେ ତୃତୀୟ ସିଜିନ ଓ ୨୦୨୪ ରେ ଚତୁର୍ଥ ସିଜିନ ଆସିଥିଲା । ସବୁ ସିଜିନ ଦର୍ଶକଙ୍କୁ ପସନ୍ଦ ଆସିଥିଲା ଓ ଏହା ଓଟିଟି ରେ ସର୍ବାଧିକ ଦେଖାଯାଇଥିବା ସିରିଜ ମଧ୍ୟରୁ ଗୋଟିଏ। ଏହି ସିରିଜ ମିଶ୍ରା ପରିବାରର ଉପରେ ଆଧାରିତ ଥିଲା, ଯେଉଁଠି ଏକ ପଇସା ରଖାଯାଉଥିବା ଘଡି କାହାଣୀ ବର୍ଣ୍ଣନା କରୁଥିଲା । ଏଥିରେ ମିଶ୍ରା ପରିବାରର ସନ୍ତୋଷ ମିଶ୍ରା (ବାପା), ଶାନ୍ତି ମିଶ୍ରା (ମା), ଅନୁ ମିଶ୍ରା (ବଡ ପୁଅ) ଓ ଅମନ ମିଶ୍ରା (ସାନ ପୁଅ)ଙ୍କ ଚରିତ୍ର ଓ ଅଭିନୟକୁ ସମସ୍ତେ ପସନ୍ଦ କରୁଥିଲେ ।
ଗୁଲକ ସିଜିନ ୫ ର ଘୋଷଣାରେ ଷ୍ଟାର କାଷ୍ଟରେ ପରିବର୍ତ୍ତନ ହୋଇଛି । ଅନୁ ମିଶ୍ରାଙ୍କ ଚରିତ୍ରରେ ଅଭିନୟ କରୁଥିବା ବୈଭବ ରାଜ ଗୁପ୍ତାଙ୍କ ସ୍ଥାନରେ ଏବେ ଅନନ୍ତ ଯୋଶୀଙ୍କୁ ଦେଖିବାକୁ ମିଳିବ । ପୂର୍ବରୁ ଏହି ଲୋକପ୍ରିୟ ସିରିଜର ସମସ୍ତ କଳାକାରଙ୍କ ଚରିତ୍ର ସହିତ ଦର୍ଶକ ଯୋଡି ହୋଇ ରହିଥିବାବେଳେ, ଦର୍ଶକ ଏବେ ଅନୁ ମିଶ୍ରାଙ୍କ ସ୍ଥାନରେ ଅନନ୍ତ ଯୋଶୀଙ୍କୁ ପସନ୍ଦ କରୁନାହାନ୍ତି । ବୈଭବ ରାଜ ଗୁପ୍ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା । ଏବେ ସିରିଜ ନିର୍ମାତା ନୂଆ ସିଜିନରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରକୁ କାହିଁକି ପରିବର୍ତ୍ତନ କଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଦର୍ଶକ ।
ଦର୍ଶକ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ଏହି ସିରିଜର ଟିଜରରେ ପ୍ରତିକ୍ରିୟା ରଖିଛନ୍ତି । ସିରିଜର ଘୋଷଣାକୁ ନେଇ ଖୁସି ଥିବା ସହ ଅନୁ ମିଶ୍ରାଙ୍କ ଚରିତ୍ରରେ ନୂଆ ଅଭିନେତାଙ୍କୁ ଗ୍ରହଣ କରିପାରୁନାହାନ୍ତି । ଗୋଟିଏ କିମ୍ବା ଦୁଇଟି କମେଣ୍ଟ ନୁହେଁ, କମେଣ୍ଟ କରିଥିବା ଅଧିକାଂଶ ଦର୍ଶକ ନିର୍ମାତାଙ୍କ ଏହି ନିର୍ଣ୍ଣୟରେ ଖୁସି ନାହାନ୍ତି । କିଛି ଦର୍ଶକ ଅନୁ ମିଶ୍ରାଙ୍କ ଲୋକ ପ୍ରିୟ ଡାଇଲଗ "ଆରେ ଆପକୋ ନାହିଁ ପତା" ପୂର୍ବ ଭଳି ଶୁଣିବାକୁ ମିଳିବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।