ରୟାଲ ଚ୍ୟାଲେଞ୍ଜର୍ସର ଷ୍ଟାର ବ୍ୟାଟ୍ସମ୍ୟାନ ଟିମ ଡେଭିଡ ମୁମ୍ବାଇ ବିପକ୍ଷ ମ୍ୟାଚ ଜିତିବା ପରେ କରିଥିବା ଇଙ୍ଗିତକୁ ନେଇ ଅସୁବିଧାରେ ପଡି ପାରନ୍ତି । ଟିମ ଡେଭିଡଙ୍କ କିଛି ଏଭଳି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଟିମ ଡେଭିଡ ମ୍ୟାଚ ସରିବା ପରେ ଡଗ ଆଉଟରେ ଠିଆ ହୋଇ ମୁମ୍ବାଇ ଇଂଡିଆନ୍ସକୁ ନିଜ ଦୁଇ ହାତର ମଝି ଆଙ୍ଗୁଠି ଦେଖାଇଛନ୍ତି । ଏହି ଘଟଣା କେତେବେଳେ ଘଟିଲା ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନଥିବାବେଳେ ଏହାର ଭିଡିଓ କିନ୍ତୁ ଭାଇରାଲ ହେବାରେ ଲାଗିଛି ।
ଟିମ ଡେଭିଡ ପୂର୍ବରୁ ମୁମ୍ବାଇ ଇଂଡିଆନ୍ସ ପାଇଁ ତିନୋଟି ସିଜିନ ଖେଳିସାରିଛନ୍ତି । ମୁମ୍ବାଇ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ମଧ୍ୟ ଖେଳିଛନ୍ତି । ୨୦୨୫ ଅକ୍ସନରେ ଆରସିବି ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ରବିବାର ମୁମ୍ବାଇ ବିପକ୍ଷ ମ୍ୟାଚରେ ଖାତା ନଖୋଲି ପ୍ରଥମ ବଲରେ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ । ମ୍ୟାଚ ପରେ ସେ ମଝି ଆଙ୍ଗୁଠି ଦେଖାଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ଡେଭିଡଙ୍କ ଏଭଳି ଇଙ୍ଗିତକୁ କିଛି ଫ୍ୟାନ ନିନ୍ଦା କରିଛନ୍ତି । କିଛି ଫ୍ୟାନ୍ସ ଏହାର ମଜାକ ମଧ୍ୟ ଉଡାଇଛନ୍ତି । କିନ୍ତୁ ଏହି ଭିଡିଓରେ ସତ୍ୟତା କେତେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ମୁମ୍ବାଇ ଓ ବେଙ୍ଗାଲୁରୁ ମଧ୍ୟରେ ରାଇପୁରରେ ଖେଳାଯାଇଥିବା ମ୍ୟାଚ ସମୟର ଏହି ଦୃଶ୍ୟ ନା ନୁହେଁ ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହା ସହ ବିସିସିଆଇ ପକ୍ଷରୁ ମଧ୍ୟ କିଛି ଏଭଳି ସୂଚନା କିମ୍ବା ଡେଭିଡଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।