ରବିବାର ମୁମ୍ବାଇ ଇଂଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶେଷ ବଲରେ ବାଜି ମାରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ରସିଖ ସଲାମଙ୍କ ବ୍ୟାଟରୁ ୱିନିଙ୍ଗ ରନ ଆସିଥିବାବେଳେ ଭୁବନେଶ୍ୱର କୁମାର ମଧ୍ୟ ଛକା ମାରି ବେଙ୍ଗାଲୁରୁକୁ ମ୍ୟାଚ ଜିତାଇବାରେ ସାହାଯ୍ୟ କରିଛନ୍ତି । ମ୍ୟାଚ ଏକଦା ମୁମ୍ବାଇ ଜିତୁଥିବାବେଳେ ଶେଷ ଓଭରରେ ଆରସିବିର ରୋମାଞ୍ଚକର ବିଜୟ ଫ୍ୟାନ୍ସଙ୍କ ସହିତ ଆରସିବି ଡଗ୍ ଆଉଟ ମଧ୍ୟ ବେଶ ଉତ୍ସାହିତ ନଜର ଆସିଛି ।
ପଡିଆ ଭିତରେ ହାଇ-ଡ୍ରାମା ଚାଲିଥିବାବେଳେ ପଡିଆ ବାହାରେ ମଧ୍ୟ ଗରମା-ଗରମ ମାହୋଲ ଦେଖିବାକୁ ମିଳିଛି । ଆରସିବି ମ୍ୟାଚ ଜିତି ଖୁସି ମନାଉଥିବାବେଳେ ଆରସିବିର ହେଡ଼ କୋଚ ଏଂଡି ଫ୍ଲାୱାରଙ୍କୁ ଲାଗିଛି ବଡ ଝଟକା । ବିସିସିଆଇ ଏଂଡି ଫ୍ଲାୱାରଙ୍କ ୧୫ ପ୍ରତିଶତ ମ୍ୟାଚ ଫିସ କାଟିଦେଇଛି ।
ଦ୍ଵିତୀୟ ଇନିଂସର ୧୮ ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ଆଲ୍ଲାହ ଗଜନଫର ଓ ଦ୍ଵିତୀୟ ବଲରେ କୄନାଲ ଲେଗ ସାଇଡରେ ସଟ୍ ଖେଳିଥିଲେ । ନମନ ଧୀର ବାଉଣ୍ଡ୍ରି ପାଖରେ ଠିଆ ହୋଇ କ୍ୟାଚ ଧରିଥିଲେ ଓ ସନ୍ତୁଳନ ହରାଇ ବଲ କୁ ବାଉଣ୍ଡ୍ରି ଭିତରେ ଥିବା ତିଲକ ବର୍ମାଙ୍କ ପାଖକୁ ପକାଇ ଦେଇଥିଲେ । ତିଲକ କ୍ୟାଚ ଧରିବାରେ ଅସଫଳ ହୋଇଥିଲେ ଓ କୄନାଲ ଆଉ ହେବାରୁ ବଞ୍ଚିଯାଇଥିଲେ । ପଡିଆରେ ଥିବା ଅମ୍ପାୟାର ବାଉଣ୍ଡ୍ରି ଚେକ୍ କରିବା ପାଇଁ ତୃତୀୟ ଅମ୍ପାୟାରଙ୍କୁ କହିଥିଲେ ଓ ତୃତୀୟ ଅମ୍ପାୟାର ବାରମ୍ବାର ଦେଖିବା ପରେ ଏହା ବାଉଣ୍ଡ୍ରି ନୁହଁ ବୋଲି ଘୋଷଣା କରିଥିଲେ । ତେବେ ନମନ ଧୀର କ୍ୟାଚକୁ ଧରିବା ସମୟରେ ବଲକୁ ବାଉଣ୍ଡ୍ରି ଭିତରକୁ ପକାଇ ବାଉଣ୍ଡ୍ରି ବାହାରକୁ ଚାଲିଯାଇଥିଲେ । ଖାଲି ଆଖିରେ ଏହା ଛକା ବୋଲି ନଜର ଆସୁଥିବାବେଳେ ତୃତୀୟ ଅମ୍ପାୟାର ଏହାକୁ ପୁନର୍ବାର ଦେଖିବା ସହ ବାଉଣ୍ଡ୍ରି ହୋଇନଥିବା କହିଥିଲେ ।
ତୃତୀୟ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ଖୁସି ନଥିଲେ ହେଡ଼ କୋଚ ଏଂଡି ଫ୍ଲାୱାର । ବିରାଟ କୋହଲି ଓ ଏଂଡି ଫ୍ଲାୱାର ଚତୁର୍ଥ ଅମ୍ପାୟାରଙ୍କ ସହ କୄନାଲ ପାଣ୍ଡ୍ୟାଙ୍କ ସଟ୍ ବିଷୟରେ ପଚାରିବା ସହ ଯୁକ୍ତିତର୍କ କରୁଥିବା ନଜର ଆସିଥିଲା । ଏହି ସମୟରେ ସେ ଖରାପ ଭାଷାର ପ୍ରୟୋଗ ମଧ୍ୟ କରିଥିଲେ ।
ଆଇପିଏଲ ଦ୍ୱାରା ଜାରି କରାଯାଇଥିବା ବୟାନ ଅନୁଯାୟୀ, ଏଂଡି ଫ୍ଲାୱାର ଆଇପିଏଲର ୨.୩ ନିୟମଧାରା ଉଲ୍ଲଙ୍ଘନ କରିଛନ୍ତି । ଯାହା ଲେବଲ-୧ ଅପରାଧ ଅଟେ । ମ୍ୟାଚ ସମୟରେ ଅପଶବ୍ଦର ବ୍ୟବହାର କଲେ ଏହି ଦଣ୍ଡ ଲାଗୁହୋଇଥାଏ ଓ ଏଥି ପାଇଁ ତାଙ୍କୁ ମ୍ୟାଚ ଫିସର ୧୫ ପ୍ରତିଶତ ଜରିମାନା ଲାଗିଛି ।