ଚଳିତ ଆଇପିଏଲ ସିଜିନରେ ଶ୍ରେୟସ ଆୟର ଭଲ ଫର୍ମରେ ଅଛନ୍ତି । ପଞ୍ଜାବ କିଙ୍ଗ୍ସର ନେତୃତ୍ୱ କରୁଥିବାବେଳେ ୧୦ ଟି ମ୍ୟାଚରେ ୩୩୩ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୪ ଟି ଅର୍ଦ୍ଧଶତକ ସାମିଲ ରହିଛି । ତେବେ ଏହାରି ଭିତରେ ଶ୍ରେୟସ ଆୟର କ୍ରିକେଟ ଇତିହାସର ଦ୍ରୁତତମ ଶତକ ହାସଲ କରିଛନ୍ତି । ମାତ୍ର ୨୨ ବଲରେ ୧୭ ଟି ଛକା ବଳରେ ଏହି ଶତକ ହାସଲ କରିଛନ୍ତି ଶ୍ରେୟସ ।
ଯଦି କଥାଟି ଆପଣଙ୍କୁ ବିଶ୍ୱାସ ଲାଗୁନି ତେବେ କଥାଟି ସତ, କିନ୍ତୁ ଏହା କୌଣସି କ୍ରିକେଟ ମ୍ୟାଚରେ ଘଟିନାହିଁ । ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନଙ୍କ ଏକ ଚ୍ୟାଲେଞ୍ଜରେ ଶ୍ରେୟସ ଆୟର ଏହି ଶତକ ହାସଲ କରିଛନ୍ତି । କେଭିନ ପିଟରସନଙ୍କ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି, ଯାହାର ନାଁ ହେଉଛି The Switch | Kevin Pietersen । ଏହି ଚ୍ୟାନେଲରେ ପିଟରସନ ଅନେକ ଅନ୍ତର୍ଜାତୀୟ କ୍ରିକେଟରଙ୍କ ସହ ଚ୍ୟାଲେଞ୍ଜ ଭିଡିଓ କରିଥାନ୍ତି । ପୂର୍ବରୁ ଭାରତୀୟ କ୍ରିକେଟର ରୋହିତ ଶର୍ମା, ୟଶସ୍ଵୀ ଜେସୱାଲ ଓ ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର ଡେଲ ଷ୍ଟେନଙ୍କ ଭଳି ଅନେକ କ୍ରିକେଟରଙ୍କ ସହ ଭିଡିଓ କରିସାରିଛନ୍ତି ପିଟରସନ।
ପିଟରସନ ନିଜ ୟୁଟ୍ୟୁବ ଚ୍ୟାନେଲରେ ଜଣେ କ୍ରିକେଟରଙ୍କୁ ନେଇ ଭିଡିଓ ବନାନ୍ତି ଓ ତାଙ୍କୁ କିଛି ଚ୍ୟାଲେଞ୍ଜ ମଧ୍ୟ ଦିଅନ୍ତି । ସୋମବାର ପିଟରସନଙ୍କ ଚ୍ୟାନେଲରେ ଶ୍ରେୟସ ଆୟରଙ୍କ ସହ ଏକ ଭିଡିଓ ପୋଷ୍ଟ ହୋଇଛି । ଭିଡିଓରେ ପିଟରସନ, ଆୟରଙ୍କୁ ୫୦ ବଲରେ ୧୦୦ ମାରିବା ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି । କିନ୍ତୁ ଏହି ଚ୍ୟାଲେଞ୍ଜରେ ଗୋଟେ ଟ୍ଵିଷ୍ଟ ଅଛି । ବଲ ବୋଲିଂ ମେସିନରୁ ପଡିବ । ପ୍ରଥମ ବଲ ୫୦ ମାଇଲ ପ୍ରତି ଘଣ୍ଟାରେ ପଡିବ ଓ ପ୍ରତି ବଲରେ ବଲର ଗତି ଏକ ମାଇଲ ବଢି ବଢି ଯିବ ।
ଶ୍ରେୟସ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ପ୍ରଥମ ୭ ଟି ବଲରେ ୭ ଟି ଛକା ମାରିଛନ୍ତି । ୧୦ ଟି ବଲରେ ଅର୍ଦ୍ଧଶତକ ହାସଲ କରିବା ପରେ ଶ୍ରେୟସ, ପିଟରସନଙ୍କ ସହ କ୍ରିକେଟ ସମ୍ବନ୍ଧୀୟ କିଛି ଆଲୋଚନା କରିଛନ୍ତି ଓ ପଚାରିଛନ୍ତି ଦ୍ରୁତତମ ଶତକର ରେକର୍ଡ (ପିଟରସନଙ୍କ ଚ୍ୟାନେଲରେ) କାହା ନାମରେ ଅଛି । ପିଟରସନ କହିଛନ୍ତି ଏବି ଡିଭିଲିଅର୍ସଙ୍କ ନାମରେ ଅଛି, ଯିଏ ୩୦ ବଲରେ ଶତକ କରିଛନ୍ତି, କିନ୍ତୁ ପ୍ରକୁତରେ ପିଟରସନଙ୍କ ଏହି ଚ୍ୟାଲେଞ୍ଜରେ ନିକୋଲାସ ପୁରନ ୨୮ ବଲରେ ଦ୍ରୁତତମ ଶତକ ହାସଲ କରିଛନ୍ତି । ଏହା ପରେ ଛକା ପରେ ଛକା ବର୍ଷା କରି ୨୨ ବଲରେ ଶତକ କରି ଚ୍ୟାଲେଞ୍ଜ ଜିତିଛନ୍ତି ଶ୍ରେୟସ ଆୟର ।