ରାୟଗଡା ଜିଲ୍ଲାରେ ସୋମବାର ଏକ ହାଇଡ୍ରାମା ସଦୃଶ ଘଟଣା ଦେଖିବାକୁ ମିଳିଛି। ମଦ ନିଶାରେ ଜଣେ ଯୁବକ ୧୬୦ ଫୁଟ୍ ଉଚ୍ଚ ଜିଓ ମୋବାଇଲ ଟାୱାର ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେବାରୁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ରେସ୍କ୍ୟୁ ଅପରେସନ୍ ପରେ ଶେଷରେ ଅଗ୍ନିଶମ ବାହିନୀ ଓ ପୋଲିସ ଯୁବକଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବାରେ ସଫଳ ହୋଇଥିଲେ।
ଯୁବକ ଜଣଙ୍କ ହେଲେ ମଥୁରାନଗର କୁମ୍ଭାର ସାହିର ୨୫ ବର୍ଷୀୟ ତ୍ରିଲୋଚନ କାଶି। ସୂଚନା ଅନୁଯାୟୀ, ସୋମବାର ଅପରାହ୍ଣରେ ସେ ହଠାତ୍ ମଦ୍ୟପ ଅବସ୍ଥାରେ ଜିଓ ଟାୱାର ଉପରକୁ ଚଢ଼ିଯାଇଥିଲେ। ଟାୱାର ଉପରେ ଦୌଡ଼ି ଯାଇ ସେ ଚିତ୍କାର କରି ତଳକୁ ଡେଇଁଯିବାକୁ ଧମକ ଦେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା।
ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫାୟାର ଅଫିସର କଳ୍ପନା ବେହେରା ଓ ଏସଆଇ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଟିମ୍ ଯୁବକଙ୍କୁ ବୁଝାସୁଝା କରିଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଅପରେସନ୍ ପରେ ଶେଷରେ ସମ୍ପୃକ୍ତ ଯୁବକ ତଳକୁ ଆସିଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ତିଲ ପୂର୍ବ ଦିନ ମଧ୍ୟ ଏପରି ଉଦ୍ୟମ କରିଥିଲେ, କିନ୍ତୁ ଲୋକମାନେ ତାଙ୍କୁ ଅଟକାଇ ଦେଇଥିଲେ। ତାଙ୍କ ବାପା କାର୍ତ୍ତିକ କାଶୀ କହିଛନ୍ତି ଯେ, ପୁଅ ଦୀର୍ଘଦିନ ଧରି ମଦ ନିଶା ଓ ମାନସିକ ଅଶାନ୍ତିରେ ରହୁଛି। ଏହି ଘଟଣା ସମୟରେ ଟାୱାର ନିକଟରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା।