ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଘଟିଛି ଏକ ଚର୍ଚ୍ଚିତ ଘଟଣା। ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ ଅଭିଯୋଗରେ ଜଣେ ଯୁବକଙ୍କୁ ଗ୍ରାମବାସୀ ଧରି ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଉଦଳା ଥାନା ପାଟଶାଣିପୁର ପଞ୍ଚାୟତର ବରହମପୁର ଗାଁରେ ଘଟିଥିବା ବେଳେ, ସମଗ୍ର ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ବାରିପଦା ଅଞ୍ଚଳର ଦୁଇ ଜଣ ଯୁବକ ରାତିରେ ବରହମପୁର ଗାଁକୁ ଆସିଥିଲେ। ସେହି ସମୟରେ ଗାଁର ଏକ ପରିବାରରେ କାର୍ଯ୍ୟକ୍ରମ ଚାଲିଥିଲା ଏବଂ ଘରେ ଅନେକ ଲୋକଙ୍କ ଭିଡ଼ ଥିଲା। ଅଭିଯୋଗ ହେଉଛି, ଦୁଇ ଯୁବକ ସେଠାକୁ ପହଞ୍ଚି କିଛି ଯୁବତୀଙ୍କ ସହ ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ। ଏହାକୁ ଦେଖି ଉପସ୍ଥିତ ଲୋକେ ଉତ୍ତେଜିତ ହୋଇଯାଇଥିଲେ।
ଗ୍ରାମବାସୀ ଦୁଇ ଯୁବକଙ୍କୁ କାବୁ କରିବାକୁ ଧରିବାକୁ ଯିବା ବେଳେ ଜଣେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ଅନ୍ୟ ଯୁବକ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ। ପରେ ତାଙ୍କୁ ଗଛରେ ଦଉଡ଼ିରେ ବାନ୍ଧି ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ମଧ୍ୟ କିଛି ସ୍ଥାନୀୟ ଲୋକ ମୋବାଇଲରେ କଏଦ କରିଥିବା କୁହାଯାଉଛି।
ଖବର ପାଇ ଦୀର୍ଘ ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ତେବେ ପୋଲିସର ପ୍ରାଥମିକ ତଦନ୍ତରେ ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କୁ ଖୋଜି ଖୋଜି ଭୁଲବଶତଃ ଗାଁକୁ ପଶିଥିବା କଥା ସାମ୍ନାକୁ ଆସିଛି। ଘଟଣାର ସତ୍ୟତା କଣ, ସେନେଇ ପୋଲିସ ବର୍ତ୍ତମାନ ତଦନ୍ତ ଜାରି ରଖିଛି।