ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ପରେ ଦେଖା ଦେଇଥିବା ହିଂସା ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ ଆଜି ୭ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବଧିମୁଁହା ଗ୍ରାମର ଭୁଲା ମୁର୍ମୁ, ସୁରେନ୍ଦ୍ରନାଥ ମାର୍ଣ୍ଡି, ବିଦ୍ୟାଧର ସାମଲ, ବଣକାଟି ଗ୍ରାମର ଲୁଗୁ ମୁର୍ମୁ, ପ୍ରହରରାଜପୁର ଗ୍ରାମର ଲିପୁନ ବେହେରା ଏବଂ ଡ୍ରାଇଭର ଦିଲୀପ କୁମାର ମାର୍ଣ୍ଡି ।
କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଛାତ୍ରୀ ଅସୁସ୍ଥ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରୂପାଲି ବେସ୍ରା ନାମକ ଜଣେ ଛାତ୍ରୀ ମୃତ୍ୟୁ ବରଣ କରିଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମୃତ ଛାତ୍ରୀ ରୂପାଲିଙ୍କ ମରଶରୀର ଆଶ୍ରମ ନିକଟରେ ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଟେକା ପଥର ଓ ପେଟ୍ରୋଲ ବମ ଫିଙ୍ଗିଥିଲେ । ଏଥିରେ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ସେହିପରି ମୃତ ଛାତ୍ରୀ ଥିବା ଗାଡିକୁ ଦୀର୍ଘ ୧୭ ଘଣ୍ଟା ଧରି ଅଟକ ରଖା ଯାଇଥିଲା। ଉକ୍ତ ଘଟଣାକୁ ନେଇ ତିନୋଟି ମାମଲା ରୁଜୁ ହୋଇଥିଲା।
ତେବେ ପୋଲିସ ଆଜି ସାତ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ଉକ୍ତ ଥାନା ଅଧୀନ ବଧିମୁଁହା ଗ୍ରାମର ଭୁଲା ମୁର୍ମୁ,ସୁରେନ୍ଦ୍ରନାଥ ମାର୍ଣ୍ଡି, ବିଦ୍ୟାଧର ସାମଲ,ବଣକାଟି ଗ୍ରାମର ଲୁଗୁ ମୁର୍ମୁ ଏବଂ ପ୍ରହରରାଜପୁର ଗ୍ରାମର ଲିପୁନ ବେହେରା। ସେହିପରି ଲୋକଙ୍କୁ ଘଟଣାସ୍ଥଳକୁ ଅଣିଥିବା ଗାଡ଼ି ଡ୍ରାଇଭର ଦିଲୀପ କୁମାର ମାର୍ଣ୍ଡିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ଉକ୍ତ ଦୁଇଟି ଗାଡ଼ିକୁ ଜବତ କରାଯାଇଛି ।