ଭଦ୍ରକ ଜିଲ୍ଲାରୁ ଆସିଛି ହୃଦୟ ଦୋହଲାଇବା ଭଳି ଏକ ଅଭାବନୀୟ ଘଟଣା। ଦାରିଦ୍ର୍ୟ ଓ ଆର୍ଥିକ ଅନଟନର ଚାପରେ ଜଣେ ଦମ୍ପତି ନିଜ ୪ ବର୍ଷର ନାବାଳିକା ଝିଅକୁ ମାତ୍ର ୧୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ଆସିଛି। ଏହି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅଧୀନ ଦାମୋଦି ଅଞ୍ଚଳରେ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ବନ୍ଧୁଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କାଳୀ ମୁଣ୍ଡା ଅତ୍ୟନ୍ତ ଦାରିଦ୍ର୍ୟରେ ଜୀବନ କାଟୁଥିଲେ। ପରିବାରରେ ଦୁଇ ଝିଅ ଓ ଜଣେ ପୁଅ ଥିବା ବେଳେ ସବୁଠୁ ଛୋଟ ୪ ବର୍ଷର ଝିଅକୁ ସେମାନେ ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କୁ ଦେଇଥିବା କଥା ସ୍ୱୀକାର କରିଛନ୍ତି। ମାତ୍ର ୧୫ ହଜାର ଟଙ୍କା ପାଇଁ ନିଜ ସନ୍ତାନକୁ ବିକ୍ରି କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି।
ଝିଅଟିକୁ ନେଇଯିବା ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଜାଣିପାରିଥିଲେ। ଏହାପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀ ଦମ୍ପତିଙ୍କୁ ଘେରାଉ କରିବା ସହ ପୋଲିସ ଓ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଥିଲେ। ଏହି ଘଟଣା ପଛରେ ଶିଶୁ ଚାଲାଣ ରାକେଟ୍ର ସମ୍ପୃକ୍ତି ଥାଇପାରେ ବୋଲି ଅନେକ ସ୍ଥାନୀୟ ଲୋକ ସନ୍ଦେହ ପ୍ରକାଶ କରିଛନ୍ତି। ତେଣୁ ସମଗ୍ର ଘଟଣାର ଗଭୀର ତଦନ୍ତ ପାଇଁ ଦାବି ହେଉଛି।
ଘଟଣାଟି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଦୃଷ୍ଟିକୁ ମଧ୍ୟ ଆସିଛି। ଆୟୋଗ ସଦସ୍ୟା ମାନସମିତା ଖୁଣ୍ଟିଆ କହିଛନ୍ତି ଯେ, ଘଟଣାକୁ ଗୁରୁତର ଭାବେ ନିଆଯାଇଛି ଏବଂ ପୋଲିସ ସହ ଆଲୋଚନା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସ୍ପଷ୍ଟ କରାଯାଇନଥିବା ବେଳେ ତଦନ୍ତ ଜାରି ରହିଛି।
ଅଧିକ ପଢନ୍ତୁ: କୋର୍ଟରୁ ଦୁଷ୍କର୍ମ ଅଭିଯୁକ୍ତ ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ; ୨ କନଷ୍ଟେବଳଙ୍କୁ ନିଲମ୍ବିତ କଲେ ଏସ୍ପି