ଗଞ୍ଜାମ: ହାତୀର ଗୁଳି ବିଦ୍ଧ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ତାଳଗଣ୍ଡ ନାଳ ଅଞ୍ଚଳରୁ ଜଣେ ୧୦ ବର୍ଷୀୟ ହାତୀର ମୃତଦେହ ଉଦ୍ଧାର ହେବା ପରେ ଚଞ୍ଚଳତା ସୃଷ୍ଟି ହୋଇଛି। ଶନିବାର ସନ୍ଧ୍ୟାରେ ବନ ବିଭାଗ ଏହି ମୃତଦେହ ଠାବ କରିଥିବା ବେଳେ, ଘଟଣା ପଛରେ ଶିକାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନୟାଗଡ଼ ଅଞ୍ଚଳର କିଛି ଶିକାରୀ ହାତୀଟିକୁ ଗୁଳି ମାରିଥାଇପାରନ୍ତି। ହାତୀର ଗୋଡ଼ରେ ଗୁଳି ଲାଗିଥିବା ଚିହ୍ନ ମିଳିଛି। ବନ ଅଧିକାରୀଙ୍କ ଅନୁମାନ ଅନୁଯାୟୀ, ଗୁଳି ଲାଗିବା ପରେ ଘା’ରେ ଭୟଙ୍କର ସଂକ୍ରମଣ ହୋଇଥିଲା। ଧୀରେ ଧୀରେ ହାତୀଟି ଦୁର୍ବଳ ହୋଇପଡ଼ିଥିବା ବେଳେ ଶେଷରେ ତାହାର ମୃତ୍ୟୁ ଘଟିଛି।
ଘଟଣା ପରେ ବନ ବିଭାଗ ତୁରନ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ହାତୀ ଶରୀରରେ ଗୁଳି ଚିହ୍ନ ମିଳିବା ପରେ ବନ ବିଭାଗର ସନ୍ଦେହ ଆହୁରି ଗଭୀର ହୋଇଛି।
ଏହି ଘଟଣା ପୁଣିଥରେ ଜଙ୍ଗଲରେ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି। ଏକ ପଟେ ସରକାର ବନ୍ୟପ୍ରାଣୀ ସୁରକ୍ଷା ପାଇଁ କଠୋର ଆଇନ କରୁଥିବା ବେଳେ, ଅନ୍ୟପଟେ ଶିକାରୀମାନେ ନିର୍ଭୟରେ ଜଙ୍ଗଲରେ ଆତଙ୍କ ସୃଷ୍ଟି କରୁଛନ୍ତି। ବର୍ତ୍ତମାନ ବନ ବିଭାଗ ଘଟଣାର ତଦନ୍ତ ଜୋରଦାର କରିଥିବା ବେଳେ, ଶିକାରୀଙ୍କୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରାଯାଇଛି।