ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶନିବାର ସନ୍ଧ୍ୟାରେ ହଠାତ୍ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଫାୟାର ଷ୍ଟେସନ ଓଭରବ୍ରିଜ୍ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ଟି ନିର୍ଦୋଷଙ୍କ ଜୀବନ। ଗୋଟିଏ ଦ୍ରୁତଗତି ଟ୍ରକ୍ ମୃତ୍ୟୁଦୂତ ସାଜି ଗୋଟିଏ ବାଇକ୍ ଓ ଦୁଇଟି ସ୍କୁଟିକୁ ପଛରୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ।
ମୃତକଙ୍କ ମଧ୍ୟରେ ଅଛନ୍ତି ୨୬ ବର୍ଷୀୟା ବର୍ଷା ରାଣୀ ବେହେରା। ସେ ବରୀ ବ୍ଲକର ପୂର୍ବତନ ଅଧ୍ୟକ୍ଷା ଭାରତୀ ବେହେରାଙ୍କ ଝିଅ ଥିଲେ। ଅଫିସ କାମ ସରି ଡୁମଡୁମାସ୍ଥିତ ଘରକୁ ଫେରୁଥିବା ବେଳେ ଏହି ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି। କିଛି ମୁହୂର୍ତ୍ତ ପୂର୍ବରୁ ଯିଏ ଘରକୁ ଫେରିବା ସ୍ୱପ୍ନ ଦେଖୁଥିଲେ, ସେହି ବର୍ଷାରାଣୀଙ୍କ ଜୀବନ ମଝିରାସ୍ତାରେ ଶେଷ ହୋଇଗଲା।
ଦୁର୍ଘଟଣାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପଟେ ସୁରେନ୍ଦ୍ର ନାଥ ଦାସ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି।
ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳ ଅସ୍ଥିର ହୋଇଯାଇଥିଲା। ଜୟଦେବ ବିହାରରୁ ବରମୁଣ୍ଡା ପର୍ଯ୍ୟନ୍ତ ଦୀର୍ଘ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ରାସ୍ତା ମଝିରେ ଭାଙ୍ଗିଯାଇଥିବା ଗାଡ଼ି, ଚାରିପଟେ ଲୋକଙ୍କ ଭିଡ଼ ଏବଂ ସାଇରେନ୍ର ଶବ୍ଦ ସମଗ୍ର ଘଟଣାକୁ ଆହୁରି ହୃଦୟବିଦାରକ କରିଦେଇଥିଲା। ପୁଣିଥରେ ଏହି ଦୁର୍ଘଟଣା ପ୍ରଶ୍ନ ଉଠାଇଛି, ରାଜଧାନୀରେ ବେପରୁଆ ଗାଡ଼ି ଚାଳନା ଉପରେ କେବେ ଲାଗିବ ଲଗାମ?