ପୁରୀ: ପରମ୍ପରା ମୁତାବକ ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ତିନି ରଥର ଚକ-ଅଖ ଡେରା ନୀତି । ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକ ମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥ ଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା । ଚକ ଅଖ ଡେରା ନୀତି ପରେ ଏବେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ଏହି ଅନନ୍ୟ ଦୃଶ୍ୟକୁ ଦେଖି ପୁରୀ ଆସିଥିବା ଶ୍ରଦ୍ଧାଳୁ ବହୁତ ଆନନ୍ଦ ଅନୁଭବ କରିଛନ୍ତି ।
ଆଜି ସକାଳୁ ସକାଳୁ ଚକଅଖ ଡେରାଯିବା ପୂର୍ବରୁ ତିନିରଥର ଦୁଇଟି ଲେଖାଏଁ ଚକ ରଥଖଳାରୁ ଆସି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରହିବା ପରେ ସେଥିରେ ପାଣିଆଆପଟ ସେବକଙ୍କ ଦ୍ବାରା ପାଣି ଢଳାଯାଇ କମାର ସେବକଙ୍କ ଦ୍ବାରା ପନ୍ଧାରୀରେ ଯୋଖିଆ ବାଡିଆ ଅନୁକୂଳ ହୋଇଥିଲା। ପରେ ଅଖରେ ପୋଲାଙ୍ଗ ତେଲ ବୋଳା ହୋଇଥିଲା।
ପରମ୍ପରା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ ଶ୍ରୀନଅରକୁ ଅଣାଯାଇଥିଲା। ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇଥିଲେ । ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକ-ଡେରା କାମକୁ ଅନୁକୂଳ କରିଥିଲେ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଛି।
ଆଗାମୀ ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ୪୨ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହେବାର ପରମ୍ପରା ରହିଥିବା ବେଳେ ଆସନ୍ତା ସ୍ନାନପୁର୍ଣିମା ତିଥିରେ ତିନି ରଥର ଚାରି ନାହାକା ଉଠିବାର ବିଧିବିଧାନ ରହିଛି।
ସେପଟେ ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ତିନି ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ଆଜ୍ଞାମାଳ ବିଜେ ସମୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଢଙ୍ଗରେ ସମାପନ କରାଯାଇଥିଲା।