ଜଗତସିଂହପୁର ଜିଲ୍ଲା ନାଉଗାଁରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ସ୍ତ୍ରୀକୁ ହତ୍ୟା କରିବା ପାଇଁ ନିଜ ଶଳାକୁ ଅପହରଣ କରିଥିଲା ଭିଣୋଇ। ସିନେମା ଶୈଳୀରେ ହୋଇଥିବା ଏହି ଅପହରଣ ଘଟଣାର ପର୍ଦାଫାଶ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ସମୀର ମୁଦୁଲି ସମେତ ୪ଜଣଙ୍କୁ ଗିରଫ କରାଯାଇଛି।
ନାଉଗାଁ ଥାନା ପାଳପୋଖରୀ ଗାଁର ସମୀର ମୁଦୁଲି ଓ ତାଙ୍କ ସ୍ତ୍ରୀ ମୋନାଲିସାଙ୍କ ମଧ୍ୟରେ ଦୀର୍ଘଦିନ ଧରି ପରିବାରିକ ବିବାଦ ଚାଲିଥିଲା। ସମୀର ପୂର୍ବରୁ ମଧ୍ୟ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ରହିଛି। ଏହାପରେ ମୋନାଲିସା ସ୍ୱାମୀଙ୍କୁ ଛାଡ଼ି ନିଜ ବାପଘରେ ରହୁଥିଲେ। କିନ୍ତୁ ସମୀରଙ୍କ ମନରେ ଚାଲିଥିଲା ଭୟଙ୍କର ଷଡ଼ଯନ୍ତ୍ର।
ଗତକାଲି ସକାଳେ ମୋନାଲିସାଙ୍କ ଭାଇ ସୌମ୍ୟକାନ୍ତ ମୁଦୁଲି ଭୁବନେଶ୍ୱରରେ କାମକୁ ଯାଉଥିବା ବେଳେ ବିଡିଏ ସାଇ ମନ୍ଦିର ନିକଟରୁ ତାଙ୍କୁ ଅପହରଣ କରାଯାଇଥିଲା। ଭିଣୋଇ ସମୀର ଓ ତାଙ୍କ ୩ ସହଯୋଗୀ ଆଲୋକ ନାୟକ, ସତ୍ୟବ୍ରତ ଦାସ ଓ ସୂର୍ଯ୍ୟକାନ୍ତ ସେନାପତି ମିଶି ସୌମ୍ୟକାନ୍ତଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ। ପରେ ତାଙ୍କୁ ପାଳପୋଖରୀର ଏକ ଘରେ ବନ୍ଦୀ କରି ରଖାଯାଇଥିଲା। ଅଭିଯୁକ୍ତମାନେ ସୌମ୍ୟକାନ୍ତଙ୍କ ଭଉଣୀ ମୋନାଲିସାଙ୍କୁ ସେଠାକୁ ଡାକିଥିଲେ। ଯଦି ସେ ନଆସିବେ, ତେବେ ସୌମ୍ୟକାନ୍ତଙ୍କୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ। ପୋଲିସ ଅନୁମାନ କରୁଛି ଯେ, ମୋନାଲିସାଙ୍କୁ ସେଠାକୁ ଡାକି ହତ୍ୟା କରିବାର ପୂର୍ବ ଯୋଜନା ଥିଲା।
ତେବେ ମୋନାଲିସା ସମୟ ନଷ୍ଟ ନକରି ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଚଢ଼ାଉ କରି ସୌମ୍ୟକାନ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ସମୀର ସମେତ ୪ଜଣଙ୍କୁ ଗିରଫ କରିଛି। ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।