ବାଲିପାଟଣା ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ବ୍ରାଉନ ସୁଗାର କାରବାରକୁ କେନ୍ଦ୍ର କରି ଯୁବକଙ୍କୁ ଜୀବନରୁ ମାରିଦେଇଥିବା କୁହାଯାଉଛି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଶୁକ୍ରବାର ରାସ୍ତା ଉପରେ କିଛି ଦୁର୍ବୁତ୍ତ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ମୃତ ଯୁବକ ହେଉଛନ୍ତି ଅଠାନ୍ତର ଗ୍ରାମର କୈଳାଶ ଚନ୍ଦ୍ର ଦାସଙ୍କ ପୁଅ ରାକେଶ ଦାସ । ଅଠାନ୍ତର ବଜାରରେ ଥିବା ତାରିଣୀ ମନ୍ଦିର ନିଶାଡୀଙ୍କ ଆଡ୍ଡା ପାଲଟିଥିଲା । ସେହି ସ୍ଥାନରେ ରାକେଶଙ୍କୁ ନିଶାଡୀ ମାନେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ବାସିନ୍ଦା ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଓ ନିକଟସ୍ଥ ମଟନ ଦୋକାନରେ ନିଆଁ ଲଗାଇଦେଇଛନ୍ତି । ଏହା ସହିତ ତାରିଣୀ ମଠ ମଧ୍ୟ ଭାଙ୍ଗିଦେଇଛନ୍ତି । ସ୍ଥାନୀୟ ମହିଳା ସଂଗଠନର ସଦସ୍ୟା ଓ ବଜରଙ୍ଗ କର୍ମୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଧାରଣା ଦେବା ଦ୍ୱାରା ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଁଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ମୃତ ରାକେଶ ବ୍ରାଉନ ସୁଗାର ବାବଦରେ ବାକି ଟଙ୍କା ନେଇ ଫେରାଇ ନଥିବାରୁ ତାଙ୍କୁ ପିଟି ପିଟି ମାରିଦେଇଥିବା ଶୁଣିବାକୁ ମିଳୁଛି।